ପାକିସ୍ଥାନ: ପଡୋଶୀ ରାଷ୍ଟ୍ର ପାକିସ୍ଥାନର ପେଶୱାର ଅଂଚଳରେ ବ୍ୟାପୁଛି ଏମ-ପକ୍ସ। ଦକ୍ଷିଣ ଏସିଆର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମୁତାବକ ଦୁଇ ସପ୍ତାହ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏମ-ପକ୍ସକୁ ଆନ୍ତର୍ଜାତୀୟ ଚିନ୍ତାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ପାକିସ୍ତାନର ପେଶୱାର ଏହି ରୋଗର ସମ୍ଭାବ୍ୟ 'ସଞ୍ଚାର କେନ୍ଦ୍ର' ଭାବରେ ଉଭା ହୋଇଛି। ପାକିସ୍ଥାନ ବର୍ତ୍ତମାନ ଶାସକ ଦଳ ତଥା ଆତଙ୍କବାଦୀ ବିପର୍ଯୟ ମଧ୍ୟରେ ଗତି କରୁଥିବା ବେଳେ ଏମ-ପକ୍ସର ସଂକ୍ରମଣ ଏହାର ଚିନ୍ତା ବଢ଼ାଇଛି। ରବିବାର ସେପ୍ଟେମ୍ବର ୧ ତାରିଖରେ ଆଉ ଏକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ସହ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଏନେଇ ପାକିସ୍ତାନର ଦୈନିକ ପତ୍ରିକା 'ଡନ'ରେ ସୂଚନା ପ୍ରକାଶ ପାଇଛି।
ତେବେ ପାକିସ୍ତାନର ଖାଇବର ପଖତୁନୱା ଅଞ୍ଚଳରେ ଅନ୍ୟ ସଂକ୍ରମିତ ବ୍ୟକ୍ତିଙ୍କୁ ଠାବ କରାଯାଇଛି। ଏହା ଆଫଗାନିସ୍ଥାନ ସୀମା ସହ ଲାଗିରହିଥିବା ବେଳେ ଉଭୟ ଅଂଚଳ ମଧ୍ୟ ରେ ବିଭିନ୍ନ ବ୍ୟବସାୟ ଚାଲୁଥିବା ବେଳେ ପଡୋଶୀ ରାଷ୍ଟ୍ରକୁ ମଧ୍ୟ ଏହା ବ୍ୟାପିଥିବାର ଭୟ ରହିଛି। ସୂଚନା ଯୋଗ୍ୟ ୨୦୨୧ ମସିହାରେ ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ଦେଶର ଅର୍ଥନୀତି ତଥା ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ଶୋଚନୀୟ ହୋଇପଡିଛି।