ଆଗାମୀ ଦିନରେ ଦେଶରେ ଆହୁରି ନୂଆ ମେଡିକାଲ କଲେଜ ତିଆରି ହେବାକୁ ଯାଉଛି ଏବଂ ଏଥିପାଇଁ ଏମବିବିଏସ ସିଟ୍ ସଂଖ୍ୟା ମଧ୍ୟ ବଢିବ । ଚଳିତ ବର୍ଷ କେନ୍ଦ୍ର ସରକାର ୫୦ ନୂଆ ମେଡିକାଲ କଲେଜକୁ ଅନୁମତି ଦେଇଛନ୍ତି । ଏହି ତାଲିକାରେ ୩୦ଟି ସରକାରୀ ଏବଂ ୨୦ ବେସରକାରୀ ମେଡିକାଲ କଲେଜ ସାମିଲ ରହିଛି । ସେହିଭଳି ବର୍ତ୍ତମାନ ଥିବା କଲେଜରେ ପାଖପାଖି ୨ ହଜାର ସିଟ୍ ବୃଦ୍ଧି କରାଯିବ । ଏହି ସଂଖ୍ୟା ବୃଦ୍ଧି ପରେ ଦେଶରେ ମେଡିକାଲ କଲେଜରେ ଏମବିବିଏସ ସିଟ ସଂଖ୍ୟା ୧ ଲକ୍ଷରୁ ଅଧିକ ହେବ । ଆଗକୁ ବିଭିନ୍ନ ରାଜ୍ୟରେ ଏ ସମସ୍ତ ନୂଆ କଲେଜ ଖୋଲିବାକୁ ଯାଉଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ତେଲେଙ୍ଗାନାରେ ୧୩ଟି ନୂଆ ମେଡିକାଲ କଲେଜ ଖୋଲିବାକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏବଂ ରାଜସ୍ଥାନରେ ୫ଟି ଲେଖାଁଏ ମେଡିକାଲ କଲେଜ ଖୋଲିବ । ସେହିଭଳି ମହାରାଷ୍ଟ୍ରରେ ୪ଟି ଆସାମ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ତାମିଲନାଡୁରେ ୩ଟି ଲେଖାଁଏ ମେଡିକାଲ କଲେଜ ଖୋଲିବ । ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ପଶ୍ଚିମବଙ୍ଗ, ଓଡିଶା ଏବଂ ଜମ୍ମୁକାଶ୍ମୀରରେ ୨ଟି ଲେଖାଁଏ ମେଡିକାଲ କଲେଜ ଖୋଲିବ । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ନାଗାଲାଣ୍ଡରେ ମଧ୍ୟ ଗୋଟିଏ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।