ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ମୁମ୍ବାଇ-ନାଗପୁର ରାଜପଥ ଉପରେ ତାଙ୍କ ଗାଡ଼ି ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ମାତ୍ର ସୋନାଲି ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି ।
ସୋନାଲି ସୁଦ ତାଙ୍କ ଭଉଣୀଙ୍କ ପୁଅ ଏବଂ ଜଣେ ମହିଳାଙ୍କ ସହିତ ଯାଉଥିଲେ । ନାଗପୁର ରୋଡରେ ତାଙ୍କର କାର ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଦୁର୍ଘଟଣାର ଖବର ପାଇବା ପରେ ସୋନୁ ତୁରନ୍ତ ନାଗପୁର ଅଭିମୁଖେ ବାହାରି ଯାଇଥିଲେ । ଏଥିରେ କାହାର କୌଣସି କ୍ଷତି ହୋଇ ନ ଥିବାବେଳେ ସମସ୍ତେ ସାମାନ୍ୟ ଆହତ ହୋଇଛନ୍ତି । ଏହା ଏକ ଦୈବିକ ଘଟଣା ଘଟିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ସୋନୁ ସୁଦ ।
ସୋନୁ ସୁଦ ଏବଂ ସୋନାଲି ୨୫ ସେପ୍ଟେମ୍ବର ୧୯୯୬ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ପ୍ରେମ କାହାଣୀ ନାଗପୁରରେ ଇଞ୍ଜିନିୟରିଂ ପାଠପଢ଼ା ସମୟରେ ଆରମ୍ଭ ହୋଇଥିଲା। ସେହି ସମୟରେ ସୋନାଲି ସେଠାରେ MBA ପଢ଼ୁଥିଲେ। ଦୁହେଁ ବହୁତ ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ। ଏହି ଦମ୍ପତି ବର୍ତ୍ତମାନ ଦୁଇଟି ପୁଅର ପିତାମାତା। ଅଭିନେତା ଜଣକ ତାଙ୍କ ବ୍ୟକ୍ତିଗତ ଜୀବନକୁ ତାଙ୍କ ବୃତ୍ତିଗତ ଜୀବନରୁ ଦୂରରେ ରଖନ୍ତି।