ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ଧମକ ଦିଆଯାଇଛି । ତାଙ୍କୁ ଏହି ଧମକ ଦେଇଛନ୍ତି ଜଣେ ବୁର୍ଖା ପିନ୍ଧା ମହିଳା । ଗୁରୁବାର ସକାଳୁ ମୁମ୍ବାଇରେ ସଲିମ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ମହିଳା ଜଣକ ଧମକ ଦେଇଥିବା ଜଣାପଡ଼ିଛି । ଏ ନେଇ ବାନ୍ଦ୍ରା ପୁଲିସ ନିକଟରେ ମାମଲା ରୁଜୁ କରାଯାଇଥିବାବେଳେ ତଦନ୍ତ ଆରମ୍ଭ ହୋଇଛି ।
ସବୁଦିନ ଭଳି ସଲିମ ଖାନ ମର୍ଣ୍ଣିଂ ୱାକ୍ ରେ ବାହାରିଥିଲେ । ଘର ବାହାରେ ଏକ ବେଞ୍ଚରେ ବସି ଜୋତା ବାନ୍ଧୁଥିବାବେଳେ ଏକ ସ୍କଟର ସେହିବାଟେ ଦେଇ ଯାଇଥିଲା । ଗାଡ଼ିର ପଛରେ ଜଣେ ବୁର୍ଖା ପିନ୍ଧା ମହିଳା ମଧ୍ୟ ବସିଥିଲେ । ଗାଡ଼ିଟି କିଛି ବାଟ ଯାଇ ପୁଣି ଫେରିଥିଲା । ଏହା ପରେ ଗାଡ଼ିକୁ ଅଟକାଇ ମହିଳା ଜଣକ କହିଥିଲେ, “ଲରେନ୍ସ ବିଷ୍ନୋଇଙ୍କୁ ପଠାଇବି କି”? ତେବେ ଲରେନ୍ସ ବିଷ୍ନୋଇ ଜଣେ ଗ୍ୟାଙ୍ଗ୍ ଷ୍ଟାର୍ ବୋଲି ଜଣା ପଡ଼ିଛି ।
ସଲିମ ଖାନ ବାନ୍ଦ୍ରା ଥାନାରେ ଏଫ୍ଆଇଆର୍ ଦାୟର କରିଛନ୍ତି । ବାନ୍ଦ୍ରା ପୁଲିସ ଆଇପିସି ଧାରା ୩୫୨(୨), ୨୯୨ ଓ ୩(୫) ଅନୁଯାୟୀ ମାମଲାର ତଦନ୍ତ ଆରମ୍ଭ କରିଛି । ପୁଲିସ ଧମକ ଦେଇଥିବା ଦୁଇ ବ୍ୟକ୍ତିଙ୍କୁ ଚିହ୍ନଟ କରି ନିଜ ହେପାଜତକୁ ନେଇ ତଦନ୍ତ ପଚରାଉଚରା ଆରମ୍ଭ କରିଛି । କାହିଁକି ଏବଂ କାହା ଇଙ୍ଗିତରେ ଧମକ ଦେଇଥିଲେ ତଦନ୍ତ କରୁଛି ପୁଲିସ ।