ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଭୁବନେଶ୍ୱର ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଛି । ସଙ୍ଗୀତକାର ଅଭିଜିତ ମଜୁଦାରଙ୍କ ଭଳି ତାଙ୍କର ମଧ୍ୟ ଲିଭର୍ ସମସ୍ୟା ଦେଖାଦେଇଥିବା ଜଣାପଡ଼ିଛି । ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇପାରେ ବୋଲି ସୂଚନା ରହିଛି ।
ହ୍ୟୁମାନଙ୍କ ଲିଭର୍ ଓ କିଡ଼ନିରେ ସମସ୍ୟା ସୃଷ୍ଟି ହୋଇଛି । ଏହା ସହିତ ଶରୀର ଅନେକ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇଛି । ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେବା ସହିତ ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ଭଳି ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଗତକାଲି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସେ ଆଇସିୟୁରେ ଚିକିତ୍ସିତ ଅଛନ୍ତି ।
ଗତକିଛି ଦିନ ହେବ ମଧ୍ୟ ହ୍ୟୁମାନ୍ ସାଗର ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ସେ ଅନେକ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି । ଯୁବପୀଢ଼ିଙ୍କ ହୃଦୟରେ ହ୍ୟୁମାନ୍ ଏକ ସ୍ୱତନ୍ତ୍ର ଘର କରିଛନ୍ତି । ୨୦୧୨ ରେ ଏକ ଟିଭି ରିଆଲିଟି ଶୋରେ ଅଂଶ ଗ୍ରହଣ କରି ହ୍ୟୁମାନ ଜିତିବା ପରେ ଓଲିଉଡରେ ଗୀତ ଗାଇବାର ସୁଯୋଗ ପାଇଥିଲେ । ସେ ସଙ୍ଗୀତକାର ଅଭିଜିତ ମଜୁଦାରଙ୍କ ଗୀତରେ ପ୍ରଥମେ କଣ୍ଠଦାନ କରିଥିଲେ । ଏହା ପରେ ସେ ଚଳଚ୍ଚିତ୍ର, ଓଡ଼ିଆ ଆଲବମ୍ ଓ ସମ୍ବଲପୁରୀରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି । ସେ ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସଙ୍ଗୀତକାର ତଥା ଗାୟକ ଅଭିଜିତ ମଜୁମଦାର ମଧ୍ୟ ଅସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍ସରେ ସେ ଚିକିତ୍ସାଧୀନ ଅଛନ୍ତି । ଦୀର୍ଘ ଏକ ମାସ ପରେ ସେ ଆଇସିୟୁରୁ ବାହାରିଛନ୍ତି । ବର୍ତ୍ତମାନ ସେ କ୍ୟାବିନରେ ଚିକିତ୍ସିତ ଅଛନ୍ତି ।