ମୁମ୍ବାଇ: ୱେବ୍ ସିରିଜ୍ “ଆଇସି ୮୧୪: ଦ କାନ୍ଦାହାର ହାଇଜାକ୍” କୁ ନେଇ ବିବାଦରେ ଛନ୍ଦି ହୋଇଥିବା ନେଟଫ୍ଲିକ୍ସ ଶେଷରେ ମୁଣ୍ଡ ନୁଆଁଇଛି । ପ୍ରସାରିତ ୱେବ୍ ସିରିଜ୍ ଆଇସି ୮୧୪କୁ ଦେଶବ୍ୟାପୀ ବିରୋଧ କରାଯିବା ପରେ ଏଥିରେ ପରିବର୍ତ୍ତନ କରାଯାଇଛି । ଅପହରଣକାରୀଙ୍କର ହିନ୍ଦୁ ଦେବତାଙ୍କ ନାମ ବଦଳରେ ଅସଲି ଆତଙ୍କବାଦୀଙ୍କ ନାମକୁ ଯୋଡ଼ା ଯାଇଛି ।
୧୯୯୯ରେ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଆଇସି ୮୧୪ କିପରି ଅପହରଣ ହୋଇଥିଲା ତାହାକୁ ନେଇ ନେଟଫ୍ଲିକ୍ସର “ଆଇସି ୮୧୪: ଦ କାନ୍ଦାହାର ହାଇଜାକ୍” ୱେବ ସିରିଜ ରିଲିଜ୍ ହୋଇଥିଲା । ଏଥିରେ ସାମିଲ ଥିବା ପ୍ରକୃତ ଅପହରଣକାରୀଙ୍କ ନାମ ବଦଳରେ ଦୁଇ ଆତଙ୍କବାଦୀଙ୍କ ନାମ ଭୋଲା ଓ ଶଙ୍କର ରଖାଯାଇଛି । ଏହା ସହିତ ଅନ୍ୟମାନଙ୍କ ଅସଲି ନାମ ମଧ୍ୟ ପ୍ରକାଶ କରାଯାଇ ନାହିଁ । ତେବେ ବିଭିନ୍ନ ଆଡ଼ୁ ବିରୋଧର ସ୍ୱର ଉଠିବା ପରେ ଏବଂ ସରକାରଙ୍କ ହସ୍ତକ୍ଷେପ ପରେ ସମସ୍ତ ଚରିତ୍ରର ପ୍ରକୃତ ନାମକୁ ଯୋଡ଼ା ଯାଇଛି । ପାକିସ୍ତାନୀ ଆତଙ୍କବାଦୀ ଇବ୍ରାହିମ ଅତହର, ଶାହିଦ ଅଖତର ସଇଦ୍, ସନୀ ଅହମ୍ମଦ କାଜୀ, ମିସ୍ତ୍ରୀ ଜହୁର ଇବ୍ରାହିମ ଓ ଶାକିର ନାମକୁ ପୁନର୍ବାର ସିରିଜରେ ଦର୍ଶାଯାଇଛି ।
ପୂର୍ବରୁ ଶାକିରଙ୍କୁ 'ଶଙ୍କର' ଏବଂ ଜହୁର ଇବ୍ରାହିମଙ୍କୁ 'ଭୋଲା' ନାମରେ ଦର୍ଶାଯାଇଥିଲା । ସେହିପରି ଇବ୍ରାହିମ ଅତହରଙ୍କ ନାମ ‘ଚିଫ୍' ହୋଇଥିବାବେଳେ ଶାହିଦ ଅଖତର ସଇଦର ନାମ 'ଡକ୍ଟର' ଏବଂ ସନ୍ନି ଅହମ୍ମଦ କାଜୀର ନାମ 'ବର୍ଗର୍' ଭାବରେ ଦର୍ଶାଯାଇଥିଲା । ମାତ୍ର ବର୍ତ୍ତମାନ ଏହି ସବୁ ନାମକୁ ସିରିଜରେ ସାମିଲ କରାଯାଇଛି ।
ଆଇସି ୮୧୪: କାନ୍ଦାହାର ହାଇଜାକ୍ ସିରିଜରେ ବିଜୟ ବର୍ମା ମୁଖ୍ୟ ଭୂମିକାରେ ଥିବାବେଳେ ନାସିରୁଦ୍ଦିନ ଶାହା, କୁମୁଦ ମିଶ୍ର, ପତ୍ରଲେଖା, ମନୋଜ ପାହୱା, ପଙ୍କଜ କପୁର, ଦିୟା ମିର୍ଜା ଏବଂ ପୂଜା ଗୌର ମଧ୍ୟ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ।