ମୁମ୍ବାଇ: କଙ୍ଗନା ରଣାଓ୍ଵତଙ୍କ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଲଗାତାର ବିବାଦ ବଢୁଥିବାରୁ ଏହାର ରିଲିଜ୍କୁ ଘୁଞ୍ଚାଇ ଦିଆଯାଇଛି। ମଣ୍ଡି ଲୋକସଭା ସିଟ୍ରୁ ସାଂସଦ କଙ୍ଗନା ରଣାଓ୍ଵତ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଏହି ଫିଲ୍ମ କାରଣରୁ ତାଙ୍କୁ ଧମକ ମିଳୁଥିଲା। ଏବେ ସିବିଏଫସି ଏମରଜେନ୍ସି ଫିଲ୍ମକୁ କ୍ଲିନଚିଟ୍ ଦେବାକୁ ମନା କରି ଦେଇଛି। ତେବେ ଏହି ଫିଲ୍ମ କେବେ ପରଦାକୁ ଆସିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଏ ପର୍ଯ୍ୟନ୍ତ ଫିଲ୍ମର ନିର୍ମାତା ବିବାଦକୁ ନେଇ କାରଣ ଦର୍ଶାଅ ନୋଟିସ୍ର ଜବାବ ଦେଇ ନାହାନ୍ତି। ଫିଲ୍ମର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏହାର ରିଲିଜ୍କୁ ସବୁଜ ସଙ୍କେତ ମିଳିବାକୁ ଆହୁରି ସମୟ ଲାଗିପାରେ। ତେଣୁ କଙ୍ଗନା ରଣାଓ୍ଵତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏମରଜେନ୍ସି ସେପ୍ଟେମ୍ବର ୬ ତାରିଖରେ ରିଲିଜ୍ ହେବା ମୁସ୍କିଲ ହୋଇ ପଡ଼ିଛି। ରିପୋର୍ଟ ଅନୁଯାୟୀ, ଫିଲ୍ମର ଅନେକ ଦୃଶ୍ୟ କାଟିବାକୁ ସେନସର ବୋର୍ଡ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସଂପ୍ରତି ଫିଲ୍ମର ସମୀକ୍ଷା କରାଯାଉଛି। ଏହା ପରେ ଫିଲ୍ମକୁ ସାର୍ଟିଫିକେଟ୍ ମିଳିବା ନେଇ ବୋର୍ଡ ବିଚାର କରିବ।
ସୂଚନାଯୋଗ୍ୟ, କଙ୍ଗନା ରଣାଓ୍ଵତ ଶୁକ୍ରବାର ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଲେଖିଥିଲେ, ଆମ ଫିଲ୍ମ ଏମରଜେନ୍ସିକୁ ସେନସର ପକ୍ଷରୁ ସାର୍ଟିଫିକେଟ୍ ମିଳିବାର ଗୁଜବ ପ୍ରଚାର କରାଯାଉଛି। ପ୍ରକୃତରେ ଆମ ଫିଲ୍ମକୁ ଅନୁମତି ମିଳି ଯାଇଥିଲା, ମାତ୍ର ଅନେକ ଧମକ ପରେ ସାର୍ଟିଫିକେସନକୁ ରୋକି ଦିଆଯାଇଛି। ଜୀବନରୁ ମାରି ଦେବାକୁ ଧମକ ମିଳୁଛି। ସେନସର ବୋର୍ଡର ସଦସ୍ୟଙ୍କୁ ଧମକ ମିଳୁଛି। ଆମ ଉପରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା, ଭିଣ୍ଡରବାଲେ ଓ ପଞ୍ଜାବ ଦଙ୍ଗାକୁ ନ ଦେଖାଇବାର ଚାପ ପଡ଼ୁଛି।