ଟ୍ରକକୁ ପଛ ପଟୁ ପିଟିଲା ଶବାନା ଆଜମୀ ଓ ଜାଭେଦ ଅଖତାରଙ୍କ କାର, ଗୁରୁତର ଭାବେ ଆହତ
Khabar Odisha:entertainment-bollywood-shabana-azmi-injured-after-car-accident-on-pune-mumbai-express-way
ମୁମ୍ବାଇ, ଜାନୁଆରୀ୧୮(ଖବର ଓଡ଼ିଶା):

ବଲିଉଡ଼ର ଭେଟେରାନ ଅଭିନେତ୍ରୀ ଶବାନା ଆଜମୀ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ଵେରେ ସଡ଼କ ଦୁର୍ଘଟଣାରେ ଆହତ  ହୋଇଛନ୍ତି। ଶବାନାଙ୍କ କାର ଏକ ଟ୍ରକରେ ଧକ୍କା ହେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ତାଙ୍କୁ ତୁରନ୍ତ ପନଓ୍ଵେଲର ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରରେ ଶବାନା ଆଜମୀଙ୍କ ସହିତ ତାଙ୍କ ସ୍ଵାମୀ ଜାଭେଦ ଅଖତର ମଧ୍ୟ ଥିଲେ। ମାତ୍ର ତାଙ୍କୁ କୌଣସି ଆଘାତ ଲାଗି ନାହିଁ। 

ଏହି ଘଟଣାରେ ଶବାନା ଆଜମୀଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛି। ଶବାନା ଆଜମୀ ଓ ଜାଭେଦ ଅଖତାର ପୁଣେରୁ ମୁମ୍ବାଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ରାୟଗଢ଼ ପୋଲିସ ଅଧୀକ୍ଷକ ଅନିଲ ପରାସକର କହିଛନ୍ତି, ଦୁର୍ଘଟଣା ମୁମ୍ବାଇରୁ ପ୍ରାୟ ୬୦ କିଲୋମିଟର ଦୂର ଖାଲାପୁର ନିକଟରେ ଅପରାହ୍ନ ପ୍ରାୟ ସାଢେ ତିନିଟାରେ ଘଟିଛି। ତାଙ୍କ କାର ଏକ ଟ୍ରକକୁ ପଛପଟୁ ବାଡ଼େଇଛି। ଏଏନଆଇ ମୁତାବକ, ଦୁର୍ଘଟଣାରେ ଅନ୍ୟ ଜଣେ ଅଜଣା ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। 

ଅଭିନେତ୍ରୀଙ୍କ କାର ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ଆଗ ପାର୍ଶ୍ଵ ସଂପୂର୍ଣ୍ଣ ଉଡ଼ି ଯାଇଛି। ଏପରିକି ଟ୍ରକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ନିକଟରେ ବାନ୍ଦ୍ରାରେ ଜାଭେଦ ଅଖତାରଙ୍କ ଜନ୍ମଦିନରେ ବଡ଼ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ବଲିଉଡ଼ର ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ।

Subscribe

National International State Sports Entertainment