ପ୍ରୟାଗରାଜ: ମହାକୁମ୍ଭ ମେଳାର ଅନ୍ତିମ ପର୍ଯ୍ୟାୟ ଯେତେ ପାଖେଇ ଆସୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ସେତେ ବଢ଼ିବାରେ ଲାଗିଛି । ସାଧାରଣ ଜନତାଙ୍କଠାରୁ ନେତା, ଅଭିନେତା ଓ ବଡ଼ ପଦାଧିକାରୀ ପର୍ଯ୍ୟନ୍ତ ସମସ୍ତେ ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧା ଓ ଆସ୍ଥାର ପବିତ୍ର ବୁଡ଼ ପକାଉଛନ୍ତି । ଏହି କ୍ରମରେ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ୍ ଏବଂ ପ୍ରୀତି ଜିଣ୍ଟାଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି ।
ବଲିଉଡ୍ ଅଭିନେତା ଅକ୍ଷୟ କୁମାର, ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ପ୍ରୀତି ଜିଣ୍ଟା ମହାକୁମ୍ଭର ତ୍ରିବେଣୀ ସଙ୍ଗମ ବୁଡ଼ ପକାଇଛନ୍ତି । କ୍ୟାଟ୍ରିନା ପରମାର୍ଥ ନିକେତନ ଶିବିରରେ ପହଁଚି ସ୍ୱାମୀ ଚିଦନନ୍ଦ ସରସ୍ୱତୀ ଏବଂ ସାଧ୍ୱୀ ଭଗବତୀ ସରସ୍ୱତୀଙ୍କ ଆର୍ଶୀବାଦ ଲାଭ କରିଛନ୍ତି । ତାଙ୍କ ସହିତ ଶାଶୁ ତଥା ଭିକି କୌଶଲଙ୍କ ମାଆ ମଧ୍ୟ ଉପସ୍ଥିତ ଥିଲେ । କ୍ୟାଟ୍ରିନା କହିଛନ୍ତି ଯେ ମୁଁ ବହୁତ ଭାଗ୍ୟଶାଳୀ କି ମୁଁ ଏହି ସମୟରେ ମହାକୁମ୍ଭକୁ ଆସିଛି । ତାଙ୍କ ପୂର୍ବରୁ ଭିକି କୌଶଲ ନିଜ ଟିମ୍ ସହିତ ଆସି ବୁଡ଼ ପକାଇଥିଲେ ।
ସେହିପରି ଅକ୍ଷୟ କୁମାର କହିଛନ୍ତି ମହାକୁମ୍ଭର ସମସ୍ତ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅକ୍ଷୟ ଗଣମାଧ୍ୟମକୁ କହିଛନ୍ତି, "ଏଠାକୁ ଆସି ବହୁତ ଭଲ ଲାଗିଲା । ଏଠାରେ ବହୁତ ଭଲ ବ୍ୟବସ୍ଥା ହୋଇଛି । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି, ସମସ୍ତ ବଡ଼ ବଡ଼ ଲୋକ ଏହି କୁମ୍ଭକୁ ଆସୁଛନ୍ତି ଏବଂ ଏଠାରେ ଯେଉଁ ବ୍ୟବସ୍ଥା ବହୁତ ଭଲ । ମୁଁ ସମସ୍ତ କର୍ମଚାରୀ ଏବଂ ପୋଲିସଙ୍କୁ ଧନ୍ୟବାଦ ଜଣାଉଛି"।
ମହାକୁମ୍ଭ ମେଳାର ଶେଷ ସପ୍ତାହ ଚାଲିଛି । ମହାଶିବ ରାତ୍ରୀରେ ଶେଷ ଅମୃତ ସ୍ନାନ ଅନୁଷ୍ଠିତ ହେବ । ୧୪୪ ବର୍ଷ ପରେ ବିଶେଷ ମୁହୂର୍ତ୍ତ ଆସିଥିବାରୁ ଆଶୀତୀତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଯେଉଁଠି ସରକାର ମାତ୍ର ୪୦ କୋଟି ଶଦ୍ଧାଳୁଙ୍କ ସମାଗମ ନେଇ ଆକଳନ କରିଥିଲେ ତାହା ଭୁଲ ପ୍ରମାଣିତ ହୋଇଛି । ଏପର୍ଯ୍ୟନ୍ତ ମହାକୁମ୍ଭରେ ୬୨ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି ବୋଲି ମହାକୁମ୍ଭ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଗାମୀ ଦୁଇ ଦିନରେ ଆହୁରି ଭିଡ଼ ପରିଲକ୍ଷିତ ହେବାର ସମ୍ଭାବନା ରହିଛି ।