ହାଇଦ୍ରାବାଦ: ଲୋକପ୍ରିୟ ତେଲୁଗୁ ଅଭିନେତା ତଥା ହାସ୍ୟ କଳାକାର ଫିସ ଭେଙ୍କଟଙ୍କ ଶୁକ୍ରବାର ପରଲୋକ ଘଟିଛି । କିଡନୀଜନିତ ରୋଗରେ ପୀଡିତ ଅଭିନେତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୮ରେ ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।
ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ବିଶେଷ କରି କିଡନୀ ଅକାମୀ ହେବାରୁ ଭେଙ୍କଟଙ୍କୁ କିଛି ଦିନ ତଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା । ପରିବାର ଲୋକ କିଡନୀ ଡୋନରର ସନ୍ଧାନରେ ଥିବା ସହ ଆର୍ଥିକ ସହାୟତା ଲୋଡିଥିଲେ ।
ନିକଟରେ ତାଙ୍କ ଝିଅ କହିଥିଲେ ଯେ, ଅଭିନେତା ପ୍ରଭାସଙ୍କ ଟିମ୍ ବାପାଙ୍କ ଚିକିତ୍ସାରେ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଭେଙ୍କଟଙ୍କ ଝିଅ ଶ୍ରାବଣୀ କହିଛନ୍ତି, ବାପାଙ୍କ କିଡନୀ ପ୍ରତିରୋପଣ ପାଇଁ ୫୦ ଲକ୍ଷ ଟଙ୍କା ଦରକାର । ବାପାଙ୍କ ଅବସ୍ଥା ବହୁତ ସଙ୍କଟାପନ୍ନ ରହିଛି । ଏହି ସମୟରେ ପ୍ରଭାସଙ୍କ ଟିମ୍ କଲ୍ କରି ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ପରେ ଭେଙ୍କଟଙ୍କ ପରିବାର ଲୋକ କହିଛନ୍ତି ଯେ, ଉକ୍ତ କଲ୍ ଫେକ୍ ଥିଲା । ପରେ ଜଣା ପଡିଲା ଯେ, କୌଣସି ଜଣେ ବ୍ୟକ୍ତି ଫୋନ କରି ପ୍ରଭାସଙ୍କ ଆସିଷ୍ଟାଣ୍ଟ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ଅଭିନେତା ଭେଙ୍କଟ ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟମରେ ଜନ୍ମ ଗ୍ରହଣ କରିଥିଲେ । ୨୦୦୦ ମସିହାରେ ଫିଲ୍ମ ଖୁସି ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଭେଙ୍କଟ ରାଜ । ସେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କମେଡି ସହ ଖଳନାୟକ ଚରିତ୍ରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ସେ ବନ୍ନି, ଅଧରୁସ, ଧି, ଗବର ସିଂ, ମୋସାଗଲାକୁ ମୋସାଗାଡୁ, ମିର୍ଚି ଲାଣ୍ଟି କୁରାଡୁ ଆଦି ଫିଲ୍ମରେ ସେ କାମ କରିଛନ୍ତି । ସେ ଶେଷ ଥର ୨୦୨୫ରେ କଫି ୱିଥ କିଲର ଫିଲ୍ମରେ ଅଭିନୟ କରିଥିଲେ ।