ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଏବେ ନିଜକୁ ପ୍ରମାଣ କରିବା ପାଇଁ ଧିରେ ଧିରେ ଆଗକୁ ବଢ଼ି ଚାଲିଛି । ନିକଟରେ ଫିଲ୍ମ 'ପ୍ରତିକ୍ଷା' ପାଇଁ 69th National Film Awards ଦିଆଯାଇଥିଲା । ଏହା ଦ୍ୱାରା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପୁରା ବିଶ୍ୱରେ ଏକ ନୂଆ ପରିଚୟ ମଧ୍ୟ ଖୋଜି ପାଇଥିଲା । ତେବେ ଏହି କ୍ରମରେ ସମସ୍ତ ଓଡ଼ିଆ ସିନେମା ପ୍ରେମୀଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ଆଦ୍ୟା ଜଗଦ୍ଦେବ ଏବଂ ବାବୁଶାନ ଫିଲ୍ମସ ବ୍ୟାନର ରେ ନିର୍ମିତ ଓଡ଼ିଆ ଚଳଚିତ୍ର 'ଫାଲ୍ଗୁନ ଚୈତ୍ର'କୁ ଓସ୍କାରରେ ଏଣ୍ଟ୍ରି ମିଳିଛି । ଇଣ୍ଡିପେଣ୍ଡେଣ୍ଟ ଭାବେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାର ଏଣ୍ଟ୍ରି କରାଯାଇଛି।
ଏହାକୁ ନେଇ କିଛି ସମୟ ପୂର୍ବରୁ ଅଫିସିଆଲି ଘୋଷଣା କରାଯାଇଛି ଯେ, ବହୁ ସମ୍ମାନଜନକ ଓସ୍କାର 2024ରେ ପ୍ରବେଶ ପାଇଁ ଓଡିଆ ଚଳଚ୍ଚିତ୍ର 'ଫାଲଗୁନ ଚୈତ୍ର' ସଫଳତାର ସହ ଦାଖଲ ହୋଇଛି। 96 ତମ ଏକାଡେମୀ ପୁରସ୍କାର ମାର୍ଚ୍ଚ 10, 2024 ରେ ଲସ ଏଞ୍ଜେଲ୍ସର ଡଲବି ଥିଏଟରରେ ହେବାକୁ ଯାଉଛି। ତେବେ ଏହି ସୂଚନାଟି ଆସିବା ପରେ ପୂରା ଟିମ୍ ଆଶା ରଖିଛି କି, ଜେନେରାଲ୍ କାଟାଗୋରୀ ଗୀତ- ସ୍ମୃତି ବୁଣିଯାଏ ଜୀବନ ସମେତ, ବିଜିଏମ୍, ଚୌଧୁରୀ ଜୟପ୍ରକାଶ ଦାସଙ୍କ ଅଭିନୟ ପାଇଁ ନୋମିନେସନ୍ ସହ ପୁରସ୍କାର ଜିତିବ।
ଗତ ମେ' ୧୨ରେ ଏହି ଫିଲ୍ମଟି ମୁକ୍ତିଲାଭ କରିଥିଲା। ତେବେ ଏହା ହେଉଛି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଯାହା ଭାରତ ସମେତ ଏକକାଳୀନ ୮ରୁ ୧୦ଟି ଦେଶରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ଏକ ଫ୍ୟାମିଲି ଡ୍ରାମା ପ୍ରସଙ୍ଗରେ ତିଆରି । ଯେଉଁଥିରେ ଓଡ଼ିଶାର ପରମ୍ପରା ଠାରୁ ଆରମ୍ଭ କରି ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ସୁନ୍ଦରତା ର ସହ ଦେଖା ଯାଇଛି । ଫିଲ୍ମଟିରେ ଦର୍ଶକମାନେ ଗାଁ ଗହଳିର ସୁନ୍ଦରତା ସହ ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭଲପାଇବାକୁ ମଧ୍ୟ ଦେଖି ପାରିବେ । ତେବେ ଫିଲ୍ମରେ ନିର୍ଦ୍ଦେଶକ ପିନାକୀ ସିଂହ ଓ ଶିଶିର କୁମାର ସାହୁ ଫିଲ୍ମରେ ଟିକେ ନାୟକ ନାୟିକାଙ୍କ ଅଭିନୟ ଜରିଆରେ ଆଧୁନିକତାର ସ୍ପର୍ଶ ଦେବାକୁ ମଧ୍ୟ ଚେଷ୍ଟା କରିଛନ୍ତି । ଏହାସହ ମନଛୁଆଁ କଥାବସ୍ତୁ ଓ ଓଡ଼ିଆପଣକୁ ନେଇ ସୁନ୍ଦର ସିନେମାଟିଏ ନିର୍ମାଣ ହୋଇଛି । ଫିଲ୍ମରେ ଶକ୍ତି ଜଗଦେବଙ୍କ ପ୍ରଯୋଜନା ଦାୟିତ୍ୱରେ ଥିବା ବେଳେ ଡ. ସୁଲଗ୍ନା ମହାନ୍ତି କାହାଣୀ ରଚନା କରିଛନ୍ତି । ଏହାସହ ଚିତ୍ର ନାଟ୍ୟ ଓ ସଂଳାପ ଲେଖିଥିଲେ ପ୍ରଣବ ପ୍ରସନ୍ନ ରଥ।
ପ୍ରମୁଖ ଭୂମିକାରେ ପାର୍ଥସାରଥୀ ରାୟ ଓ ଅନନ୍ୟା ମିଶ୍ର, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ବତୀ ବସୁ, ପ୍ରଣବ ପ୍ରସନ୍ନ, ମନୀଷା ମଞ୍ଜରି ଓ ଚନ୍ଦନ ବିଶ୍ଵାଳ ଅଭିନୟ କରିଛନ୍ତି । ଏହି ଫିଲ୍ମର ଶୀର୍ଷକ ଗୀତ ‘ଫାଲଗୁନ ଚୈତ୍ର’ ସହ ‘ସ୍ମୃତି ବୁଣିଯାଏ ଜୀବନ’, ‘ଖୋଜି ଯାଏରେ’, ‘ସଖୀ’ ଓ ‘ପରିଚୟ’ ଭଳି ସ୍ମୃତିଭରା ୫ଟି ଗୀତ ଅଛି, ଯାହା ସିନେମାର ପୃଷ୍ଠଭୂମି କୁ ବେଶ୍ ଜୀବନ୍ତ କରି ଗଢ଼ି ତୋଳିପାରିଛି । ଏହାକୁ ଦେଖିବା ପରେ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ ଦର୍ଶକ ।