ଦିଲ୍ଲୀ: ଟୁଇଟକୁ ନେଇ ବିବାଦରେ ପଡିଲେ ସଲମାନ । ଭାଇରଲ ହେଲା ସଲମାନଙ୍କ ଯୁଦ୍ଧ ବିରତି ସମ୍ବନ୍ଧିତ ପୋଷ୍ଟ । ଏହାକୁ ନେଇ ବିବାଦ ଦେଖା ଦେବା ପରେ ପୋଷ୍ଟଟିକୁ ଡିଲିଟ କରିଛନ୍ତି ସଲମାନ । ଫ୍ୟାନ୍ସଙ୍କ ରାଗର ଶିକାର ହେଇଛନ୍ତି ସଲମାନ । ପହଲଗାମରେ ଏପ୍ରିଲ ୨୨ ରେ ନିରୀହ ଲୋକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଏହାର ଜବାବ ଅପରେସନ ସିନ୍ଦୂର ମାଧ୍ୟମରେ ଦେଇଥିଲା । ମେ ୧୦ ତାରିଖରେ ଆମେରିକାର ମଧ୍ୟସ୍ଥତାରେ ଦୁଇ ଦେଶ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇବା ପରେ, ସଲମାନ ସୋସିଆଲ ମିଡ଼ିଆ ସାଇଟ 'X' ରେ ଯୁଦ୍ଧବିରତି ସମ୍ବନ୍ଧିତ ପୋଷ୍ଟରେ ଅସ୍ତ୍ରବିରତିକୁ ନେଇ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସଲମାନଙ୍କ ଏହି ବିବୃତି ପ୍ରକାଶ ପାଇବା ପରେ ମାହୋଲ ସମ୍ପୂର୍ଣ୍ଣ ସରଗରମ ହୋଇ ଉଠିଥିଲା । ସୋସିଆଲ ମିଡ଼ିଆ ୟୁଜର ମାନେ ତୁରନ୍ତ ତାଙ୍କ ପୋଷ୍ଟ ତଳେ କମେନ୍ଟ କରିବା ସହିତ ପହଲଗାମ ଠାରେ ହୋଇଥିବା ଆକ୍ରମଣ ସମ୍ପର୍କରେ ନୀରବତା ଓ ସଲମାନଙ୍କ ଯୁଦ୍ଧ ବିରତି ସମୟରେ ଟୁଇଟ ଆସିବାକୁ ନେଇ ପ୍ରଶ୍ନ କରିଥିଲେ । ଭାରତୀୟ ସେନାର ବଳିଦାନ ଓ ବୀରତ୍ୱ ତଥା ଅପରେସନ ସିନ୍ଦୁର ସମ୍ପର୍କରେ ମତ ଦେଇନଥିବା ସଲମାନ ହଠାତ ଯୁଦ୍ଧ ବିରତି ସମୟରେ X ଜରିଆରେ ପୋଷ୍ଟ କରିବାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ଭାରତୀୟଙ୍କ ଉପରେ ହେଉଥିବା ଅତ୍ୟାଚାର ତଥା କଷ୍ଟ ଠାରୁ ସଲମାନଙ୍କର ଅଧିକ ସହୃଦୟତା ପାକିସ୍ଥାନ ସହିତ ରହିଛି ବୋଲି ମତପ୍ରକାଶ କରୁଥିଲେ ୟୁଜର୍ସ । ବହୁ ୟୁଜର୍ସଙ୍କ ଅସନ୍ତୋଷ ଭରା କମେଣ୍ଟସ ପରେ ସଲମାନ ନିଜର ଟୁଇଟକୁ ବାଧ୍ୟ ହୋଇ ଡିଲିଟ କରିଦେଇଥିଲେ । ମାତ୍ର ତାଙ୍କ ଟୁଇଟ୍ ର ସ୍କ୍ରିନସଟ ଏବେ ଭାଇରଲ ହେଉଛି ।
ଜଣେ ୟୁଜର୍ସ କହିଛନ୍ତି,' ସଲମାନ ନିଜର ଟୁଇଟ୍ ଡିଲିଟ କରିଦେଲେ, ପହଲଗାମ ଆକ୍ରମଣ ଉପରେ ତାଙ୍କର କୌଣସି ମତ ପ୍ରକାଶ ପାଇନଥିଲା । ଏହି ସମୟରେ ଶାହରୁଖ ଓ ଆମିର ଖାଁ ମଧ୍ୟ ନୀରବତା ରକ୍ଷା କରୁଛନ୍ତି ।' ଅନ୍ୟଜଣେ ୟୁଜରଙ୍କ ମତରେ ଭାରତକୁ ସଲମାନଙ୍କୁ ବଏକଟ୍ କରିଦେବା ଉଚିତ ।
ଗତ କିଛିଦିନ ଧରି ଗୁଳିମାଡ଼, ଡ୍ରୋନ ଆକ୍ରମଣ ଓ ମିଜାଇଲ ମାଡ ପରେ ଭାରତ ଓ ପାକିସ୍ଥାନ ଯୁଦ୍ଧ ବିରତି ନେଇ ଆପୋଷ ଆଲୋଚନାରେ ସହମତି ଜଣାଇଛନ୍ତି । ଅପରେସନ ସିନ୍ଦୁର ଜରିୟାରେ ପାକିସ୍ଥାନର ଆତଙ୍କବାଦୀଙ୍କ ଅଡ୍ଡା ଗୁଡିକୁ ଚି଼ହ୍ନଟ କରି ଧୂଳିରେ ମିସାଇଦେଇଛି ଭାରତୀୟ ବାୟୁ ସେନା । ଏହା ସହିତ ପାକିସ୍ଥାନ ଏୟାରବେସ ଉପରେ ମଧ୍ୟ ଭାରତ ଆକ୍ରମଣ କରିଛି । ପାକିସ୍ଥାନର କାପୁରୁଷତାପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣର ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା ।