ନୂଆଦିଲ୍ଲୀ: ନିମିଷା ପ୍ରିୟାଙ୍କ ୟମନରେ ବଞ୍ଚାଇବାର ଆଶା ମଉଳିବାରେ ଲାଗିଛି । ସୋମବାର ସରକାର ସୁପ୍ରିମକୋର୍ଟରେ ଜଣାଇଛନ୍ତି ଯେ, ଏହି ମାମଲାରେ ସରକାର ଅଧିକ କିଛି କରି ପାରିବେ ନାହିଁ । ନିମିଷାଙ୍କୁ ୟମନରେ ଜୁଲାଇ ୧୬ରେ ମୃତ୍ୟୁ ଦଣ୍ଡ ଦିଆଯାଇପାରେ । ତଲାଲ ଅବଦୋ ମେହଦି ନାମକ ୟମନର ନାଗରିକଙ୍କୁ ହତ୍ୟା ମାମଲାରେ ନିମିଷା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ତାଙ୍କୁ ଫାଶି ଦଣ୍ଡ ଶୁଣାଇଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାର କହିଛନ୍ତି ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ । ମାତ୍ର ଏହାର ଏକ ସୀମା ରହିଛି, ଯାହା ପର୍ଯ୍ୟନ୍ତ ଆମେ ଯାଇ ପାରିବୁ । ଏବେ କେବଳ ଗୋଟିଏ ରାସ୍ତା ୟମନର ମୃତ ନାଗରିକଙ୍କ ପରିବାର ବ୍ଲଡ ମନିକୁ ସ୍ୱୀକାର କରନ୍ତୁ । ଏହି ବ୍ୟବସ୍ଥା ଆଧାରରେ ପୀଡିତ ପରିବାରକୁ ମୋଟା ଅଙ୍କର ଧନରାଶି ଦିଆଯାଇଥାଏ । ମାତ୍ର ଏହି ଅର୍ଥ ରାଶି କେତେ ରହିବ ତାହା ଦୁଇ ପକ୍ଷ ମିଶି ସ୍ଥିର କରନ୍ତି ।
ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ଅଦାଲତଙ୍କୁ ଜଣାଇଛନ୍ତି ଯେ, ଭାରତ ଏହି ମାମଲାରେ ସେତିକି ଆଗକୁ ଯାଇ ପାରିବ ଯେତିକି ସରକାରଙ୍କ ସୀମା ରହିଛି । ସେ କହିଛନ୍ତି, ସରକାର ଏହି ମାମଲାରେ ଅଧିକ କିଛି କରି ପାରିବେ ନାହିଁ । ୟମନର ସମ୍ବେଦନଶୀଳତାକୁ ଦେଖି ଆମର ଅଧିକ ପ୍ରୟାସ କୂଟନୈତିକ ଭାବେ ମାନ୍ୟ ହେବ ନାହିଁ । ବ୍ଲଡ ମନି ଏକ ବ୍ୟକ୍ତି ରାଜିନାମା ।
କେରଳର ପଲ୍ଲକଡ ଜିଲ୍ଲାର ନିମିଷା ପ୍ରିୟା ମହଦୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେ ଅନ୍ୟ ଜଣେ ନର୍ସ ସହ ମିଶି ଘଟଣା ଘଟାଇଥିଲେ । ଦୁହେଁ ୟମନ ନାଗରିକଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ଅଣ୍ଡରଗ୍ରାଉଣ୍ଡ ଟ୍ୟାଙ୍କରେ ପକାଇ ଦେଇଥିଲେ । ଏହା ପୂର୍ବରୁ ନିମିଷା ପ୍ରିୟା ନିଜ ଉପରେ ଲାଗିଥିବା ଅଭିଯୋଗକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ କୋର୍ଟ ତାଙ୍କର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ।