ଆସନ୍ତାକାଲିଠାରୁ ଆରମ୍ଭ ହେବ ହକି ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଡଟ୍ ଫେଷ୍ଟ । ହକି ବିଶ୍ୱକପ 2023 ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜିତ ହୋଇଛି ଡଟ୍ ଫେଷ୍ଟ | ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ଅନେକ ଜାତୀୟ କଳାକାର । 15ରୁ 24 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ 29 ପର୍ଯ୍ୟନ୍ତ ଡଟ୍ ଫେଷ୍ଟ ଚାଲିବ । ତେବେ ଏହି କାର୍ଯ୍ୟକ୍ରମରେ 7000 ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଛି । 6ଟି ପର୍ଯାୟରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ଲୋକମାନେ ଛିଡ଼ା ହୋଇ ଦେଖିବାର ବ୍ୟବସ୍ଥା ହୋଇଛି । ସୁରକ୍ଷା ଦାୟିତ୍ବରେ ରହିବେ 15 ପ୍ଲାଟୁନ ପୋଲିସ ଫୋର୍ସ । ଯେଉଁଥିରୁ 5 ପ୍ଲାଟୁନ ଟ୍ରାଫିକ ଦାୟିତ୍ୱରେ ରହିବେ । ସେହିପରି 2 ଜଣ ଅତିରିକ୍ତ ଡିସିପିଙ୍କ ସହ, 6ଜଣ ଏସିପି, 51 ଜଣ ଆଇଆଇସି ଅଧିକାରୀ ରହିବେ । ତେବେ ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ଡଟ୍ ଫେଷ୍ଟ ପାଇଁ ସିସିଟିଭି ସର୍ଭେଲାନ୍ସରେ ରହିଛି ସମ୍ପୂର୍ଣ ପ୍ରଦର୍ଶନୀ ପଡ଼ିଆ । ଅପରାଧୀଙ୍କ ଉପରେ ନଜର ରଖିବେ ପୋଲିସର ସ୍ବତନ୍ତ୍ର ଟିମ୍ । ଡଟ୍ ଫେଷ୍ଟ ସମୟରେ ରାମମନ୍ଦିର ଛକରୁ ସଚିବାଳୟ ମାର୍ଗ ପର୍ଯ୍ୟନ୍ତ ସଂଧ୍ୟାରେ ଗାଡ଼ି ଚଳାଚଳ ବନ୍ଦ ରହିବ । କ୍ୟାପିଟାଲ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ହିନ୍ଦୀ ସ୍କୁଲ ଓ ଫୁଟବଲ ଗ୍ରାଉଣ୍ଡରେ ପାର୍କିଂ ବ୍ୟବସ୍ତା କରାଯାଇଛି । ମୋ ବସରେ ମାଗଣା ଯାତାୟାତ ସୁବିଧା ହକି ଟିକେଟ ବା ପାସ୍ ଧାରୀଙ୍କ ପାଇଁ ହୋଇଥିବାରୁ ଗାଡ଼ି ନ ଆଣି ମୋ ବସର ସହଯୋଗ ନେବାକୁ ଅନୁରୋଧ କରିଛନ୍ତି ଡିସିପି ।