ମୁମ୍ବାଇ : ବକ୍ସ୍ ଅଫିସ୍ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ଫିଲ୍ମ ‘ଛାଭା’। ଫେବୃଆରୀ ୧୪ ତାରିଖରେ ସିନେମାହଲରେ ରିଲିଜ ହୋଇଥିବା ‘ଛାଭା’ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିବାରେ ବେଶ ସଫଳ ହୋଇଛି । ୮ ଦିନରେ, ଫିଲ୍ମଟି ଭାରତରେ ୨୪୨.୨୫ କୋଟି ଟଙ୍କା ଏବଂ ସାରା ବିଶ୍ୱରେ ୩୦୦ କୋଟି ଟଙ୍କା ରୋଜଗାର ପାର୍ କରିଛି ।
ଛତ୍ରପତି ସମ୍ଭାଜୀ ମହାରାଜଙ୍କ ତ୍ୟାଗ ଏବଂ ଐତିହ୍ୟକୁ ନେଇ ନିର୍ମାଣ ହୋଇଥିଲା ଏହି ଫିଲ୍ମଟିକୁ ଦର୍ଶକମାନଙ୍କ ନାହିଁ ନ ଥିବା ଭଲ ପାଇବା ମିଳିଛି। ଏତିକି ନୁହେଁ ଭିକି କୌଶଲ୍ୟାଙ୍କ ଅଭିନୟ ମଧ୍ଯ ଦମଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫିଲ୍ମକୁ ବହୁତ ପ୍ରଶଂସା କରିଛନ୍ତି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ୯୮ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଫିଲ୍ମ ‘ଛାଭା’କୁ ପ୍ରଶଂସା କରି କହିଥିଲେ, ‘ଛାଭା’ ଆଜିକାଲି ବେଶ ଚର୍ଚ୍ଚାରେ ରହିଛି ।ମହାରାଷ୍ଟ୍ର ଏବଂ ମୁମ୍ବାଇ ମରାଠୀ ଏବଂ ହିନ୍ଦୀ ସିନେମାକୁ ଏକ ନୂଆ ସଫଳତା ଦେଇଛି ଏହି ଫିଲ୍ମ । ଆଜିକାଲି ‘ଛାଭା’ ବେଶ ଲୋକପ୍ରିୟ ହେବାରେ ଲାଗିଛି । ଶିବାଜୀ ସାୱନ୍ତଙ୍କ ମରାଠୀ ଉପନ୍ୟାସରେ ସମ୍ଭାଜୀ ମହାରାଜଙ୍କ ବୀରତ୍ୱକୁ ଏହି ରୂପରେ ପରିଚିତ କରାଯାଇଛି ।
ଯାହାପରେ ଭିକି କୌଶଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ଏହା ଅତ୍ୟନ୍ତ ସମ୍ମାନଜନକ ବୋଲି କହିଥିଲେ । ସେ କହିଛନ୍ତି ଯେ ଏହା ଏକ ଗର୍ବର ମୁହୂର୍ତ୍ତ କାରଣ ପ୍ରଧାନମନ୍ତ୍ରୀ ମୋଦି ‘ଛାଭା’କୁ ପ୍ରଶଂସା କରିଛନ୍ତି ଏବଂ ସମ୍ମାନ କରିଛନ୍ତି ।