ମୁମ୍ବାଇ, ନଭେମ୍ବର ୨୩ (ଖବର ଓଡ଼ିଶା):
ଡ୍ରଗ୍ ମାମଲାରେ ଗିରଫ ହୋଇଥିବା ହାସ୍ୟୋଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଛି । ସୂଚନାଯୋଗ୍ୟ ଯେ, ଗତ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇସ୍ଥିତ ଭାରତୀଙ୍କ ଘରେ ଚଢାଉ କରିଥିଲା। ଏହି ସମୟ ମଧ୍ୟରେ ସେଠାରୁ ଗଞ୍ଜେଇ ଉଦ୍ଧାର ହୋଇଥିଲା। ଯାଞ୍ଚ ସମୟରେ ପଚରାଉଚରା ବେଳେ ଭାରତୀ ସିଂ ସ୍ୱୀକାର କରିଛନ୍ତି ଯେ ସେ ଡ୍ରଗ୍ସ ସେବନ କରନ୍ତି ।
ଭାରତୀ ସିଂଙ୍କୁ ପ୍ରାୟ ୬ ଘଣ୍ଟା ପଚରାଉଚରା ପରେ ଗିରଫ କରାଯାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଗଲା। ରବିବାର ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିଆଙ୍କୁ ପ୍ରଥମେ ମେଡିକାଲରେ କରୋନା ପରୀକ୍ଷା ପାଇଁ ନିଆଯାଇଥିଲା ଏବଂ ସକାଳ ୧୧.୩୦ରେ ଭାରତୀ ଏବଂ ହର୍ଷ କୋର୍ଟରେ ହାଜର ହୋଇଥିଲେ।
ଭାରତ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଦୁଇଜଣ ଡ୍ରଗ୍ ବେପାରୀଙ୍କ ସହ କୋର୍ଟରେ ହାଜର ହୋଇଥିଲେ। ଏନସିବି ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ କୋର୍ଟରୁ ରିମାଣ୍ଡରେ ନେବା ପାଇଁ ଚାହିଁଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଏହା ପରେ କୋର୍ଟ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ ପଠାଇଥିବାବେଳେ ଏନସିବି ଦୁଇଜଣ ଡ୍ରଗ୍ସ ବେପାରୀଙ୍କୁ ରିମାଣ୍ଡରେ ନେଇଥିଲା।
କୋର୍ଟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ଡିସେମ୍ବର ୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ଜେଲକୁ ପଠାଇଛନ୍ତି। ଭାରତୀ ସିଂଙ୍କୁ କଲ୍ୟାଣ ଜେଲରେ ଏବଂ ତଲୋଜା ଜେଲରେ ହର୍ଷଙ୍କୁ ରଖାଯାଇଥିଲା। ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ କୋର୍ଟରେ ଜାମିନ ଆବେଦନ କରିଥିଲେ। ଆଜି ଶୁଣାଣି ସମୟରେ କୋର୍ଟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରଠାରୁ ଏନସିବି ଡ୍ରଗ୍ସ ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଜଣେ ପରେ ଜଣେ ବଲିଉଡର ତାରକା ଏନସିବି ଯାଞ୍ଚକୁ ସାମ୍ନା କରୁଛନ୍ତି ।
ପୂର୍ବରୁ ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କାପୁର ଏବଂ ରାକୁଲ ପ୍ରୀତଙ୍କ ନାମ ମଧ୍ୟ ସାମ୍ନାକୁ ଆସିବାରୁ ସେମାନଙ୍କୁ ପଚରାଉଚରା କରାଯାଇଥିଲା। ଏହା ବ୍ୟତୀତ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ମଧ୍ୟ ଚଢାଉରେ ତାଙ୍କ ଡ୍ରାଇଭରକୁ ଗିରଫ କରାଯାଇଛି।