ଟେଲି କଳାକାର କୁଶାଲ୍‌ ପଞ୍ଜାବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Khabar Odisha:Actor-Kushal-Punjabi-found-dead-in-his-Bandra-residence
ମୁମ୍ୱାଇ,ଡିସେମ୍ବର ୨୭(ଖବର ଓଡ଼ିଶା)

 2019ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ବଲିଉଡ଼ ଓ ଟେଲି ଦୁନିଆ ପାଇଁ ଆସିଛି ଏକ ଦୁଃଖଦ ଖବର । ବଲିଉଡ୍‌ ତଥା ଟେଲିଭିଜନ୍‌ର ଅନ୍ୟତମ ଚର୍ଚ୍ଚିତ ଅଭିନେତା କୁଶାଲ୍‌ ପଞ୍ଜାବୀଙ୍କ ମୃତଦେହକୁ ଗତକାଲି ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୁମ୍ବାଇର ପାଲି ହିଲ୍‌ ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଛି । ୩୭ ବର୍ଷୀୟ କୁଶାଲ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି କାରଣ ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ । ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲରେ ମୃତଦେହକୁ ଭର୍ତ୍ତୀ କରିଛି ପୋଲିସ ।  ପୁଲିସ୍ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗଣମାଧ୍ୟମ ଆଗରେ କିଛି ତଥ୍ୟ ପ୍ରକାଶ କରିନି ପୋଲିସ ।

କୁଶାଲଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ଆଜି ଅପରାହ୍ନ ୪ଟାରେ କୁଶାଲଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି । କୁଶାଲଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଟେଲି କଳାକାରଙ୍କ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।  

କୁଶାଲ୍‌ଙ୍କ ମୃତ୍ୟୁ ସଂପର୍କରେ ଏହି ଦୁଃଖଦ ଖବରଟିକୁ ପ୍ରଥମେ ସୋଶିଆଲ ମିଡିଆରେ ଶେୟାର କରିଥିଲେ ଅଭିନେତା କରଣବୀର ବୋରା । ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ଦୁଃଖ ପ୍ରକାଶ କରିଥିଲେ । କରଣ ଓ କୁଶାଲ୍‌ ଭଲ ବନ୍ଧୁ ଥିଲେ । ସେ କୁଶାଲଙ୍କର କିଛି ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର କରି ଲେଖିଛନ୍ତି,‘ତୁମ ମୃତ୍ୟୁ ମୋତେ ବଡ଼ ଝଟକା ଦେଇଛି । ମୁଁ ଏଯାଏ ବିଶ୍ୱାସ କରିପାରୁ ନାହିଁ । ତୁମେ ନିଜ ଜୀବନକୁ ଯେଉଁଭଳି ଜିଇଁଛ, ତାହା ମୋତେ ପ୍ରେରଣା ଦେଇଛି।’କରଣଙ୍କ ଏହି ପୋଷ୍ଟରେ ଅନ୍ୟ ଷ୍ଟାର୍‌ମାନେ ଓ ଫ୍ୟାନ୍‌ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ଏଠାରେ ସୂଚନାଯୋଗ୍ୟଯେ ଟେଲି କଳାକାର କୁଶାଲ୍‌ ୨୦୧୫ରେ ଜଣେ ଇଉରୋପୀୟ ଝିଅ ଅଦୁରେ ଡୋଲ୍‌ହେନ୍‌ଙ୍କୁ ବିବାହ କରିଥିଲେ । ସେମାନଙ୍କର ତିନି ବର୍ଷର ଏକ ପୁଅ ମଧ୍ୟ ଅଛି, ତାଙ୍କ ନାଁ କିଆନ୍‌ । ମୃତ୍ୟୁର ୨୨ ଘଣ୍ଟା ପୂର୍ବରୁ କୁଶାଲ୍ ପୁଅ କିଆନ୍‌ଙ୍କ ଏକ ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଥିଲେ ।

କୁଶାଲ୍‌ ଲୋକପ୍ରି୍ୟ ଧାରାବାହିକ ସିଆଇଡି, ଦେଖୋ ମଗର ପ୍ୟାର୍‌ସେ, କଭି ହାଁ କଭି ନାଁ, ଆସମାନ୍‌ ସେ ଆଗେ, ଝଲକ୍‌ ଦିଖ୍‌ଲାଜା ୭, ଅଦାଲତ୍, ସଜନ୍‌ରେ ଝୁଠ୍‌ ମତ ବୋଲୋ, ଇଶ୍କ ମେ ମରଜାୱାଁ ପରି ଅନେକ ସିରିଏଲ୍‌ ଓ ରିଆଲିଟି ଶୋ ରେ କାମ କରିଛନ୍ତି । ଏସବୁ ବ୍ୟତୀତ କୁଶାଲ୍‌ ବଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ଅକ୍ଷୟଙ୍କ ସହ ଅନ୍ଦାଜ୍, ଜନ୍‌ ଅବ୍ରାହମ୍‌ଙ୍କ ଦନ୍‌ ଦନା ଦନ୍ ଗୋଲ, ସଲ୍‌ମାନ୍‌ଙ୍କ ସଲାମ୍-ଏ-ଇଶ୍କ ଓ ଅଜୟ ଦେବଗନ୍‌ଙ୍କ ଫିଲ୍ମ କାଲ୍‌ ଓ ହ୍ରିତିକ୍‌ଙ୍କ ସହ ଫିଲ୍ମ ଲକ୍ଷ୍ୟରେ ଅଭିନୟ କରିଛନ୍ତି ।

ତେବେ କୁଶାଲଙ୍କ ମୃତ୍ୟୁ କିପରି ଘଟିଲା ଏବଁ ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ସେ କଥା ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ଜଣାପଡିଛି । 

Subscribe

National International State Sports Entertainment