ଦ ଏକାଡେମୀ ଅଫ୍ ମୋଶନ ପିକଚର୍ସ ଆଣ୍ଡ ସାଇନ୍ସ ତରଫରୁ ଓସ୍କାର ୨୦୨୪ର ତାରିଖ ଘୋଷଣା କରାଯାଇଛି । ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ୯୬ତମ ଓସ୍କାର ପୁରସ୍କାର ଉତ୍ସବର ତାରିଖ ଘୋଷଣା କରି ଲେଖିଛନ୍ତି, ୯୬ତମ ଓସ୍କାର ପୁରସ୍କାର ଉତ୍ସବ ଆସନ୍ତା ବର୍ଷ ୧୦ ମାର୍ଚ୍ଚରେ ଆୟୋଜିତ କରାଯିବ। ଏହି ସୂଚନାଟି ପରେ ଓସ୍କାର ଦୌଡ଼ରେ କେଉଁ କେଉଁ ସିନେମା ଗୁଡ଼ିକ ଏଥିରେ ସାମିଲ ଅଛି ତାହାକୁ ନେଇ ଆଲୋଚନା ଚାଲିଛି । ଏବେସୁଦ୍ଧା ଭାରତ ପକ୍ଷରୁ ପଠା ଯାଇଥିବା ଫିଲ୍ମ ଗୁଡ଼ିକର ଅଫିସିଆଲ ଏଣ୍ଟ୍ରିର ନାଁ ସାମ୍ନାକୁ ଆସି ନାହିଁ। କିନ୍ତୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏଥର କମିଟି ପାଖରେ ୨୨ଟି ଫିଲ୍ମର ନାଁ ପହଞ୍ଚିଛି ।
କୁହାଯାଉଛି ଓସ୍କାର ୨୦୨୪ ପାଇଁ ଅଦା ଶର୍ମାଙ୍କ ଦ କେରଳ ଷ୍ଟୋରୀ , ରଣବୀର ସିଂହ –ଆଲିଆ ଭଟ୍ଟଙ୍କ ରକି ଔର ରାନୀ କୀ ପ୍ରେମ କହାନୀ ସମେତ ଆହୁରି 20 ଟି ଫିଲ୍ମର ନାଁ ଓସ୍କାର କମିଟି ପାଖରେ ରହିଛି । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବିକ , ଫିଲ୍ମ ମେକର ଗିରିଶ କାସାରୱଲ୍ଲିଙ୍କ ଅଧ୍ୟକ୍ଷତାରେ ଥିବା ୧୭ ସଦସ୍ୟ ବିଶିଷ୍ଟ ଜୁରୀ ଏହି ୨୨ଟି ଫିଲ୍ମରୁ ଗୋଟିଏ ନାଁ ଫାଇନାଲ କରିବେ। ଏଥିରେ ଅଫିସିଆଲ ଏଣ୍ଟ୍ରି ପାଇଁ ନାମ ଫାଇନାଲ କରିବାରେ ଗୋଟିଏ ସପ୍ତାହର ସମୟ ଲାଗିଥାଏ । ୧୮ ସେପ୍ଟେମ୍ୱରରୁ ନାମ ଫାଇନାଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଓସ୍କାର କମିଟିର ସଦସ୍ୟ ଚେନ୍ନାଇରେ ସବୁ ନାମ ଉପରେ ବିଚାର କରୁଛନ୍ତି। ସେପଟେ ୨୩ ସେପ୍ଟେମ୍ୱର ସୁଦ୍ଧା ଭାରତ ପକ୍ଷରୁ ଓସ୍କାର ପାଇଁ ପଠାଯାଉଥିବା ଫିଲ୍ମ ଗୁଡ଼ିକର ନାମ ଘୋଷଣା ହୋଇଯିବ।