ନୂଆପଡା: ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ ସଭାମଞ୍ଚରେ କାନ୍ଦି ପକାଇଲେ ଜୟ ଢୋଲକିଆ। କୋମନା ମଞ୍ଚ ଉପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି କାନ୍ଦୁଥିବାର ଦେଖିବାକୁ ମିଳିଛି। ବିଜେଡିକୁ ବେଇମାନୀ ଅର୍ଥ ମୁଖ୍ୟମନ୍ତ୍ରୀ ବୁଝାଇବା ବେଳେ ଜୟ କାନ୍ଦୁଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, 'ବିଜେଡି ନୂଆପଡ଼ାକୁ ଧୋକା ଦେଇଛି। ଏଇଠି କଣ ପ୍ରାର୍ଥୀ ନଥିଲେ, ଅତାବିରାରୁ ଆଣିଲେ'। ଜୟଙ୍କୁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ବେଇମାନ ପୁଅ ବୋଲି କହିଥିଲା। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିବାବେଳେ ଏହା ଶୁଣି ଜୟଙ୍କ ଆଖିରେ ଲୁହ ଚାଲିଆସିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜୟଙ୍କୁ ବେଇମାନ ପୁଅ ବୋଲି କହିବା ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବରୁ ତାଙ୍କ ପାଟିରୁ କେବେ ଏଭଳି ଶବ୍ଦ ବାହାରିନାହିଁ। ତାଙ୍କୁ ବୋଧହୁଏ କେହି ସ୍କ୍ରିପ୍ଟ ଧରାଇ ଦେଇଥିଲେ। ସେଥିରେ ଯାହା ଲେଖାଯାଇଥିଲା ତାହାକୁ ସେ ପଢ଼ିଥିଲେ। ସେ ବେଇମାନର ଅର୍ଥ କ’ଣ ଜାଣି ନ ଥିବେ।
ସେପଟେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଉଥିବା ବେଳେ ଭୋ ଭୋ ହୋଇ କାନ୍ଦୁଥିଲେ ଜୟ ଢୋଲକିଆ। ଜୟଙ୍କୁ କାନ୍ଦୁଥିବାର ଦେଖିବା ପରେ ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ କୋଳେଇ ନେଇ ଆଶ୍ବାସନା ଦେଇଥିଲେ। ଏଭଳି ଦୃଶ୍ୟ ମଞ୍ଚରେ ଏକପ୍ରକାର ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିଲା।
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭାଜପା ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସାମିଲ ହୋଇଛନ୍ତି। ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଅନ୍ୟମାନେ ମଧ୍ୟ ରୋଡ ଶୋ’ରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ନୂଆପଡ଼ା ବ୍ଲକ୍ରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଆସନ୍ତାକାଲି ନୂଆପଡ଼ାରେ ରୋଡ ଶୋ କରିବେ। ଗତ ୩ ତାରିଖରେ କୋମନାରେ ନବୀନ ବିରାଟ ଜନସଭା କରିଥିବା ବେଳେ ଆସନ୍ତାକାଲି ନୂଆପଡ଼ାରେ ରୋଡ ଶୋ କରିବାକୁ ଯାଉଛନ୍ତି।
ଅଧିକ ପଢନ୍ତୁ: ଉପନିର୍ବାଚନ ପାଇଁ ବିଜେପିର ହାଇଭୋଲ୍ଟେଜ ପ୍ରଚାର: ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ ବେଳେ ନୂଆପଡା ହେଲା ଜନସମୁଦ୍ର