ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପରେ ଉଗ୍ର ହୋଇଛି ହିଂସା । ଏଠାରେ ପରିସ୍ଥିତି ଏତେ ଖରାପ ହୋଇଛି ଯେ, ଉପଦ୍ରବକାରୀଙ୍କ ଶିକାର ହୋଇଛନ୍ତି ଖୋଦ୍ ଏଏସପି । ଭୋଟ ଗଣତି ପରେ ପରିସ୍ଥିତି ଆହୁରି ଅଣାୟତ୍ତ ହୋଇଯାଇଛି । ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ବିସ୍ଫୋରଣରେ ଥରି ଉଠିଲା ୨୪ଟି ପ୍ରଗଣା | ଏଠାରେ ହିଂସାରେ ଇଣ୍ଡିଆନ୍ ସେକ୍ୟୁଲାର ଫ୍ରଣ୍ଟର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । କେବଳ ଏତିକି ନୁହେଁ , ପୁରା ଅଞ୍ଚଳ ବୋମା ମାଡ ଓ ଗୁଳିମାଡରେ କମ୍ପି ଉଠିଥିଲା । ଏପରିକି ଆଡିସନାଲ ଏସପିଙ୍କୁ ଗୁଳିମାଡ ହୋଇଛି । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିର୍ବାଚନ ପରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ମୁର୍ଶିଦାବାଦ, କୁଚବିହାର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା । ଏଠାରେ ମତଦାନ ସମୟରେ ବୁଥମାନଙ୍କରେ ଉପଦ୍ରବକାରୀମାନେ ପଶି ଭୋଟ ବକ୍ସ ଉଠାଇନେଇଥିବା ଦେଖିବାକୁ ମିଳିଥିଲା । ଏହାପରେ ସାନି ମତଦାନ ହୋଇଥିଲା ।