ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ। କଟକ ମାଧ୍ୟମିକ ବୋର୍ଡ ଅଫିସରେ ବିଧିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୧୭ ହଜାର ୩୮୪ ଜଣ ଛାତ୍ରୀଛାତ୍ର ଫେଲ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର କୃତକାର୍ଯ୍ୟ ହୋଇଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସବୁଥର ପରି ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଥିବା ମନ୍ତ୍ରୀ କହିଛନ୍ତି। ପୁଅଙ୍କ ପାସ୍ ହାର୯୪% ଥିବାବେଳେ ଝିଅଙ୍କ ପାସ୍ ହାର ୯୬% ରହିଛି।
ପାସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ । B2ରେ ୮୪ ହଜାର ୯୭୧, Cରେ ୧ ଲକ୍ଷ ୩୩ ହଜାର ୮୨୨, Dରେ ୧ ଲକ୍ଷ ୪୬ ହଜାର ୧୫୪ ଓ E ଗ୍ରେଡ୍ ୬୭ ହଜାର ୧୩ ଜଣ ପାସ୍ କରିଛନ୍ତି ।
ଆଜି ସନ୍ଧ୍ୟା ୬ଟା ପରେ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.inରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ନିଜ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ପରୀକ୍ଷାର୍ଥୀ ରେଜଲ୍ଟ ଯାଞ୍ଚ କରିପାରିବେ । ଏହାଛଡା SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ସେମାନଙ୍କ ଫଳ ଦେଖିପାରିବେ । ରେଜଲ୍ଟ ପ୍ରକାଶ ପରେ ଯେଉଁ ଛାତ୍ରୀଛାତ୍ର ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃମୂଲ୍ୟାୟନ କିମ୍ବା ପୁନଃଯାଞ୍ଚ ପାଇଁ ଆବେଦନ କରିପାରିବେ, ଯାହାର ବିବରଣୀ ବୋର୍ଡ ଓ୍ବେବ୍ସାଇଟ୍ରେ ଉପଲବ୍ଧ ହେବ।