ବାଲେଶ୍ୱର: ବିଦ୍ୟାଳୟ ବିଦ୍ୟାର ମନ୍ଦିର। ଏଠାରେ ପିତା ମାତା କୁନି କୁନି ପିଲାଙ୍କୁ ଜ୍ଞାନଆହରଣ ନିମନ୍ତେ ପଠାଇଥାନ୍ତି। ସରକାର ସାରା ରାଜ୍ୟରେ ସାକ୍ଷରତା ହାର ବଢାଇବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକୁ ଆଣିବା ସହ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ମାତ୍ର ବିଦ୍ୟାଦାନ ଦୂରରେ ଥାଉ ଏଠି ଦେଖିବାକୁ ମିଳିଛି ଛୁଆ ମାନଙ୍କୁ କଥା ବୋହିବାର ନଜିର। ବସ୍ତା ବ୍ଲକ୍ ଅଧିନ କୁଳିଦା ପଞ୍ଚାୟତ ଅନ୍ତର୍ଗତ ପଦିମା ସରକାରୀ ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କୁ ଟେମ୍ପୁରୁ ଜାଳେଣି କାଠ ବୋହିବା ଲାଗି ନିୟୋଜିତ କରାଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଗତକାଲି ଅପରାହ୍ଣ ୩ଟା ସମୟରେ ଜାଳେଣି କାଠ ଭର୍ତ୍ତି ଏକ ତିନି ଚକିଆ ଟେମ୍ପୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଅଟକିଥିଲା। ଏହି ସମୟରେ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ପାଠ ପଢା ଛାଡ଼ି ଟେମ୍ପୁରୁ କାଠ ଖଲାସି କରିବାରେ ନିୟୋଜିତ ଥିବାର ଦୃଶ୍ୟ ସାମନାକୁ ଆସିଥିଲା।ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। କୋମଳମତି ଶିଶୁଙ୍କୁ ବହି ବସ୍ତାନି ବଦଳରେ କାଠ ବୁହାଇବା ଘଟଣା କେତେ ଦୂର ଠିକ୍ ତଥା ଭାବିବାଯୋଗ୍ୟ। ତେବେ ଏ ସଂକ୍ରାନ୍ତରେ ଆଗକୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଦୋଷୀଙ୍କୁ ଯଥୋଚିତ ଦଣ୍ଡ ମିଳିବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ଦାବି ଉଠିଛି।