ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନାଲି ଆଖି ଦେଖାଇଛନ୍ତି ରାଜ୍ୟ ସରକାର | ୩ ଦଫା ଦାବି ପୂରଣ ନିମନ୍ତେ ସମୂହ ଛୁଟିରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣରେ ବସିଥିବା ପ୍ରାଥମିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ଦୋଳନକୁ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। '୨୨୦ ଦିନର କାର୍ଯ୍ୟ ଦିବସ ଭରଣା କର । ନଚେତ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ତାହାକୁ ଭରଣା କରିବ ।’ ଜାରି ରଖିଥିବା ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ବିରୋଧରେ ସରକାର କଠୋର ହୋଇଛନ୍ତି ଆଉ ସ୍ପଷ୍ଟ ଭାବରେ ଚିଠି ମଧ୍ୟ ଲେଖାଯାଇଛି | ଚିଠିଟି ଡାଇରେକ୍ଟରେଟ ଅଫ ଏଲିମେଣ୍ଟାରୀ ଏଡୁକସନ ଓଡ଼ିଶା (Directorate of Elementary Education Odisha) ତରଫରୁ ପଠାଯାଇଛି | ଏହି ଚିଠିରେ କୁହାଯାଇଛି ଯେ, ଶିକ୍ଷକ , ଶିକ୍ଷୟିତ୍ରୀମାନେ ଯେଉଁ ଆନ୍ଦୋଳନ କରୁଛନ୍ତି ସେଥିପାଇଁ ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ପାଇଁ ଛୁଟି ବା ଅନୁମତି ନେଇ ନାହାନ୍ତି | ଏହି ଚିଠି ସମସ୍ତ DEO ଓ BEO ଙ୍କ ନିକଟକୁ ପଠାଯାଇଛି | କୁହାଯାଇଛି ଯେ ଗୋଟିଏ ଏଡୁକେସନ କ୍ୟାଲେଣ୍ଡର ଇଅରରେ ବା ଶିକ୍ଷାବର୍ଷରେ ବର୍ଷକୁ ୨୨୦ଦିନ କାମ କରିବା ବା ସ୍କୁଲ ଆସିବା ବାଧ୍ୟତାମୂଳକ ଅଟେ | ଆଉ ଯେଉଁମାନଙ୍କର ଏହି ଧାରଣା ଲାଗି ୨୨୦ଦିନରୁ କମ କାମ କରିବେ ସେମାନଙ୍କ ପ୍ରତି ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଛି | ଏମିତି ନାଲି ଆଖି ଦେଖାଇଛନ୍ତି ସରକାର | ଏହାସହିତ ଏକ ସବ କମିଟି ଗଠନ କରାଯାଇଛି | ଧାରଣାରେ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଯେଉଁ ୩ଟି ଦାବି ଉପସ୍ଥାପନ କରିଛନ୍ତି ସେ ଦିଗରେ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି | ସେପଟେ ରାଜ୍ୟ ସରକାର କହିଛନ୍ତି ଯେ ଦାବି ସମ୍ପର୍କରେ ଆଲୋଚନା ଜାରି ରହିଛି ଆଉ କମିଟି ତାର ରିପୋର୍ଟ ଦେଲାପରେ ଯାଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ |
ମାତ୍ର ସରକାରଙ୍କ ନାଲି ଆଖିକୁ ଶିକ୍ଷକମାନେ ଡରୁ ନ ଥିବା ବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପଛ ଘୁଞ୍ଚା ଦେବାର ପ୍ରଶ୍ନ ଉଠୁନି ବୋଲି ସ୍ପଷ୍ଟ ଭାବେ ଶୁଣାଇଛନ୍ତି। ରାଜ୍ୟର ୫୬ ହଜାର ପ୍ରାଥମିକ ସ୍କୁଲରେ ତାଲା ପଡ଼ିବା ସହ ଶିକ୍ଷାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ନିର୍ବାଚନୀ ବର୍ଷରେ ଶିକ୍ଷକଙ୍କ ଏଭଳି ଆନ୍ଦୋଳନ ଏବେ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଠିକା ଅବଧି ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରିବା, କଳା, କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ଦାବି ସହ ଯୁକ୍ତ ଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ନିମନ୍ତେ ଆନ୍ଦୋଳନ ଚଳାଇଛନ୍ତି ପ୍ରାଥମିକ ଶିକ୍ଷକ।
ଅଧିକ ପଢ଼ନ୍ତୁ : ଭୋପାଳରେ ଅନୁଷ୍ଠିତ ହେବ ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ରାଲି