ଭୋପାଳରେ ଅନୁଷ୍ଠିତ ହେବ ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ରାଲି | ଶରଦ ପାୱାରଙ୍କ ନୂଆଦିଲ୍ଲୀ ଆବାସରେ ଅନୁଷ୍ଠିତ ସମନ୍ୱୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଆଡକୁ ଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ବିରୋଧ ମେଣ୍ଟ ଇଣ୍ଡିଆର ନଜର । ଏଥିପାଇଁ ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆର ପ୍ରଥମ ରାଲି ହେବ । ଏହି ରାଲି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ହେବ । ଶରଦ ପାୱାରଙ୍କ ବ୍ୟତୀତ କଂଗ୍ରେସର କେସି ଭେନୁଗୋପାଲ, ଡିଏମକେର ଟିଆର ବାଲୁ, ରାଷ୍ଟ୍ରିୟ ଜନତା ଦଳର ତେଜସ୍ୱୀ ଯାଦବ, ଜନତା ଦଳ (ୟୁନାଇଟେଡ) ର ସଞ୍ଜୟ ଝା, ଆମ୍ ଆଦମୀ ପାର୍ଟିର ରାଘବ ଚଢା, ଶିବସେନା (ୟୁବିଟି) ସଞ୍ଜୟ ରାଉତ, ଏନସିର ଓମାର ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ମେହବୁବା ମୁଫତି ଏବଂ ଅନ୍ୟ କେତେକ ନେତା ଏଥିରେ ସାମିଲ ହୋଇଛନ୍ତି।
ନିକଟରେ ମୁମ୍ବାଇରେ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳର ନେତାଙ୍କ ବୈଠକରେ ୧୪ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇ ମେଣ୍ଟର ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା। ଅର୍ଥାତ ଏଥିରୁ ସ୍ପଷ୍ଟ ଯେ, ପ୍ରଥମ ବିଧାନସଭା ନିର୍ବାଚନକୁ ଟାର୍ଗେଟ କରିଛି ଇଣ୍ଡିଆ ମେଣ୍ଟ । ଏନସିପିର ବରିଷ୍ଠ ନେତା ଶରଦ ପାୱାରଙ୍କ ଦିଲ୍ଲୀ ଘରେ ଏହି ବୈଠକ ବସିଥିଲା । ଏଥିରେ ଆସନ ଭାଗବଣ୍ଟା ନେଇ ଆଲୋଚନା ହୋଇଛି । ବୈଠକ ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ମିଳିତ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ବୈଠକରେ ୧୨ଟି ଦଳର ପ୍ରତିନିଧି ସାମିଲ ହୋଇଥିଲେ । କମିଟି ଆସନ ଭାଗବଣ୍ଟା ନେଇ ଆଲୋଚନା ଆରମ୍ଭ କରିଦେଇଛି । ଆଲୋଚନା କରାଯାଇ ଖୁବଶୀଘ୍ର ଏ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ବୈଠକରେ ଟିଏମସି ସାମିଲ ହୋଇନଥିଲା । ଟିଏମସି ନେତା ଅଭିଷେକ ବାନାର୍ଜୀ ସମନ୍ୱୟ ସମିତିର ସଦସ୍ୟ ଥିଲେ । ତେବେ ଇଡି ଆଗରେ ହାଜର ହୋଇଥିବାରୁ ସେ ବୈଠକରେ ସାମିଲ ହୋଇପାରି ନାହାନ୍ତି । ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ମୂଲ୍ୟ ବୃଦ୍ଧି, ବେକାରୀ ଏବଂ ଦୁର୍ନୀତି ପ୍ରସଙ୍ଗରେ ପ୍ରଥମ ମିଳିତ ଜନ ସମାବେଶ ଅନୁଷ୍ଠିତ ହେବ।
ଅଧିକ ପଢ଼ନ୍ତୁ : କୂଅ ଭିତରୁ ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର