ଆଜି ପ୍ରକାଶ ପାଇଛି ୟୁପିଏସସି ଫଳାଫଳ । ଏଥର ୟୁପିଏସସି ପରୀକ୍ଷାରେ ୧୮୦ ଜଣ ଆଇଏଏସ୍ ପାଇଥିବାବେଳେ, ୩୮ ଜଣ ଆଇଏଫଏସ୍ ଓ ୨୦୦ ଜଣ ଆଇପିଏସ୍ ପାଇଛନ୍ତି । ତେବେ ସେମାନଙ୍କ ମଧ୍ୟରେ ଓଡିଆ ଝିଅ କସ୍ତୁରୀ ପଣ୍ଡା ଆଇଏଏସ୍ ଲିଷ୍ଟର ୬୭ ତମ ସ୍ଥାନରେ ରହିଛନ୍ତି ।
ଭୁବନେଶ୍ୱରରେ ରହୁଥିବା ଓଡିଆ ଝିଅ କସ୍ତୁରୀ ପଣ୍ଡା ଏଥର ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ଏନଆଇଟି ରାଉରକେଲାରୁ ବି-ଟେକ୍ କରିଛନ୍ତି । ତେବେ ଆଇଏଏସ୍ ପରୀକ୍ଷାରେ ସଫଳତା ପାଇବା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି କସ୍ତରୀ ପଣ୍ଡା । ସେ କହିଛନ୍ତି, "ଆଶାଠୁ ଅଧିକ ପାଇଛି । ମୋ ବାପା ମାଆଙ୍କୁ ବହୁତ ବହୁତ ଧନ୍ୟବାଦ, ମୋତେ ସପୋର୍ଟ କରିଥିବାରୁ । ମୁଁ ସବୁବେଳେ ସିଡ୍ୟୁଲ ରଖି ପାଠ ପଢେ । ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲି "। ତେବେ ତାଙ୍କ ସଫଳତା ପଛର ସମସ୍ତ ଶ୍ରେୟ କସ୍ତୁରୀ ନିଜ ପିତା ମାତା ଏବଂ ସାଙ୍ଗସାଥୀଙ୍କୁ ଦେଇଛନ୍ତି ।ଅନ୍ୟପଟେ ସର୍ବଭାରତୀୟ ସ୍ତରରେ ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରକାଶିତ ଫଳାଫଳ ଅନୁଯାୟୀ, ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।