କଟକ: ଓଡିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କାର୍ଯ୍ୟରତ ଅତିଥି ପ୍ରଶିକ୍ଷକ ଦେଲେ ଆମରଣ ଅନଶନ ଚେତାବନୀ। ନ୍ୟାୟ ପାଇଁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ପ୍ରଶିକ୍ଷକ। ସ୍ଥାୟୀ ନିଯୁକ୍ତି, ଦରମା, ମହିଳା ପ୍ରଶିକ୍ଷକ ମାନଙ୍କୁ ମାତୃତ୍ବ ଛୁଟି ପ୍ରଦାନ କରାଯାଉ ଓ ଅନ୍ୟାନ୍ୟ ଦାବି ନେଇ କଟକ ବକ୍ସିବଜାର ସ୍ଥିତ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଜଣାଇଛନ୍ତି ଦାବି। ଯଦି ଆଗକୁ ନିର୍ଦ୍ଧେଶକ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଦୃଷ୍ଟି ନ ଦିଅନ୍ତି ତେବେ କଲମ ଛାଡି, ନ୍ୟାୟ ପାଇଁ ନିର୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସି ରହିବା ପାଇଁ ଦାବି କରିଛି ପ୍ରଶିକ୍ଷକ ସଂଘ। ଯେପରି ପ୍ରତିବର୍ଷ ଅଧକ୍ଷମାନେ ମନଇଚ୍ଛା ଛଟେଇ ତଥା ଦରମା ବନ୍ଦ କରୁଛନ୍ତି, ସେହି ପ୍ରକ୍ରିୟା ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ସଂଘ।
ରାଜ୍ୟ ସଂଘ ସମ୍ପାଦକଙ୍କ ମତରେ, ଓଡିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ରହିଛନ୍ତି ୬୦୦ରୁ ଉର୍ଦ୍ଧ୍ଵ ଅତିଥି ପ୍ରଶିକ୍ଷକ। ଦୀର୍ଘ ବର୍ଷ ଧରି ନିରବଚ୍ଛିନ ଭାବରେ କମ ଦରମାରେ କାର୍ଯ୍ୟ ସମ୍ପାଦନ କରି ଆସୁଛି ସଂଘ। ଏପରି କି ଯେଉଁ ସମୟରେ ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡିକରେ ନିୟମିତ ପ୍ରଶିକ୍ଷକ ନ ଥଲେ ସେହି ସମୟରେ ଅତିଥି ପ୍ରଶିକ୍ଷକ ମାନଙ୍କୁ ନିୟମିତ ପ୍ରଶିକ୍ଷକ ଦର୍ଶାଇ କାର୍ଯ୍ୟ ସମ୍ପାଦନ କରିଛି ବିଭାଗ। ବର୍ତ୍ତମାନ ଆର୍ଥିକ ଓ ମାନସିକ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏହି ଆନ୍ଦୋଳନ ପନ୍ଥା ଆପଣେଇଛି ସଂଘ।