୩ ଦଫା ଦାବି ପୂରଣକୁ ନେଇ ତେଜି ଉଠିଛି ଶିକ୍ଷକ ଆନ୍ଦୋଳନ। ଶିକ୍ଷକ ଆନ୍ଦୋଳନକୁ ନେଇ ବର୍ତ୍ତମାନ ଟେନସନରେ ସରକାର | ମୌସୁମୀ ଅଧିବେଶନ ବେଳେ ହକ ଦାବି କରି ଆନ୍ଦୋଳନ କରିବେ ଉଭୟ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲ ଶିକ୍ଷକ । ଆସନ୍ତା ୨୫ ତାରିଖରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଗତ ସେପ୍ଟେମ୍ବର ୫ ଗୁରୁଦିବସରେ କଳାବ୍ୟାଚ୍ ପିନ୍ଧି ନୀରବ ପ୍ରତିବାଦ କରିଥିଲେ ଏହି ଶିକ୍ଷକ ଶିକ୍ଷୟିତ୍ରୀ । ସରକାର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ବସାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦାବି ପୂରଣ ନହେବାରୁ ପୁଣି ଥରେ ୨୫ରୁ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି।
ବିଦ୍ୟାଳୟ ଗୁଡ଼ିକରେ ସମାନ ଯୋଗ୍ୟତା ଥାଇ ସମାନ କାମ କରୁଥିବା ଶିକ୍ଷକମାନଙ୍କ ଭିତରେ ଦରମା ଓ ଚାକିରି ସର୍ତାବଳୀରେ ତାରତମ୍ୟ ନରଖିବାକୁ ସଂଘ ଦାବି କରିଆସୁଛି । ଏହା ସହ ଖାଲି ଥିବା ଶିକ୍ଷକ ପଦବି ପୂରଣ କରିବା ସହ ଶିକ୍ଷାଦାନ ବ୍ୟତିତ ଅନ୍ୟ କାର୍ଯ୍ୟରେ ନିୟୋଜିତ ନକରିବା, ପେନସନ ଏବଂ ଅବସର ବୟସ ସୀମା ୬୨କୁ ବୃଦ୍ଧି ଆଦି ଦାବି ନେଇ ଆନ୍ଦୋଳନ କରିଆସୁଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତଥା ଓଷ୍ଟା । ଆସନ୍ତା ୨୫ରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପରିଚାଳନା କମିଟିର ସଭ୍ୟ, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ ନେଇ ଏକ ମହା ସମାବେଶ ଓ ଅହୋରାତ୍ର ଧାରଣା ଦିଆଯିବ ବୋଲି ଓଷ୍ଟା କହିଛି । ଏପଟେ ପ୍ରାଥମିକ ଶିକ୍ଷକଙ୍କର ଦୁଇଟି ବଡ଼ ସଂଘ ପୁଣି ୨୬ରୁ ଆନ୍ଦୋଳନକୁ ଓହ୍ଲାଉଥିବା ବେଳେ ୨୫ରୁ ଓଷ୍ଟାର ଆନ୍ଦୋଳନ ସରକାରଙ୍କ ଆଗରେ ବଡ଼ ସମସ୍ୟା ହୋଇ ଠିଆ ହେବ । ଯାହାର ସିଧା ପ୍ରଭାବ ପିଲାଙ୍କ ଶିକ୍ଷା ଉପରେ ପଡିବ | ଏସବୁ ଫଳରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ିବ। ଯାହା ବର୍ତ୍ତମାନ ଅତି ଚିନ୍ତାର ବିଷୟ ପାଲଟିଛି |
ଅଧିକ ପଢ଼ନ୍ତୁ : ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ : ଶିକ୍ଷକ ଆନ୍ଦୋଳନ