କଟକ: କଟକରେ ଡବଲ ଏନ୍କାଉଣ୍ଟର । ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ଦୀର୍ଘ ଦିନ ପରେ କଟକରେ ଗର୍ଜିଛି କମିଶନରେଟ ପୋଲିସର ବନ୍ଧୁକ । କଟକ କମିସରେଟ୍ ପୁଲିସ କରିଛି ଡବଲ ଏନ୍କାଉଣ୍ଟର । ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼ କରିଛି ପୁଲିସ। ଆହତ ଅଭିଯୁକ୍ତ ଦ୍ଵୟ ହେଲେ କଟାସ ଓରଫ ସଂଗ୍ରାମ ରାଉତ ଏବଂ ଜୁବୁଲା ଓରଫ ଶୁଭ୍ରାଂଶୁ ପରିଡ଼ା । ଉଭୟଙ୍କ ନାମରେ ୫୦ ରୁ ଅଧିକ ମାମଲା ରହିଛି ।
ସୂଚନା ଅନୁଯାୟୀ ଡକାୟତି, ଲୁଟ୍ପାଟ ଭଳି ଏକାଧିକ ସଙ୍ଗିନ୍ ମାମଲାରେ ଜଡ଼ିତ ଥିଲେ କଟାସ ଓ ଜୁବୁଲା । ଉଭୟଙ୍କୁ ଧରିବା ପାଇଁ ପୋଲିସ ପିଛା କରୁଥିଲା । ଚୌଦ୍ୱାର ଇନ୍ଦ୍ରାଣୀପାଟଣାରେ ପୋଲିସ ଓ ଅଭିଯୁକ୍ତ ଦ୍ଵୟ ମୁହଁ ମୁହିଁ ହୋଇଥିଲେ । ସ୍ଥିତି ବିଗିଡ଼ି ଯିବାରୁ ପୁଲିସ ଦୁଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚାଳନା କରିଥିଲା । ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବାର ସୂଚନା ମିଳୁଛି । ଆହତ ଅଭିଯୁକ୍ତଙ୍କୁ ଏସ୍ସିବି ଟ୍ରମା କେୟାର୍ରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ କରାଯାଇଛି ।
ପ୍ରାଥମିକ ସୂଚନାରୁ ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ ଓ ଜୁବୁଲାର ଘର କଟକର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳରେ ବୋଲି ଜଣା ପଡ଼ିଛି।