ଭୁବନେଶ୍ୱର: ଆଗକୁ ଆସୁଛି ରଥଯାତ୍ରା । ଏନେଇ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡିଲାଣି ପ୍ରଶାସନ । ରଥଯାତ୍ରା ଉପଲକ୍ଷେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ ହେବାକୁ ଥିବା ବେଳେ ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ଏକ ମୁଣ୍ଡବ୍ୟଥାର କାରଣ ସାଜେ । ତେବେ ଏ ଅସୁବିଧାର ସାମ୍ନା କରିବା ପାଇଁ ପ୍ରଶାସନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତଥା AIର ବ୍ୟବହାର କରିବା ନେଇ ବିଚାର ବିମର୍ଶ ଚାଲିଛି ।
ଆସନ୍ତା ଏପ୍ରିଲ ୩୦ ତାରିଖରେ ଅକ୍ଷୟତୃତୀୟା ଅବସରରେ ରଥକାଠ ଅନୁକୂଳ ହେବ । ଏନେଇ ଅକ୍ଷୟତୃତୀୟା ଓ ରଥଯାତ୍ରା ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତା କରିବା ସହିତ, ବିଭିନ୍ନ ଦିଗରେ ଆଲୋଚନା କରିଥିଲେ । ବିଶେଷ କରି ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କୁ ସଠିକ ଭାବେ ପରିଚାଳନା କରିବା ଦ୍ୱାରା କିପରି ଟ୍ରାଫିକ ସମସ୍ୟା ନ ଉପୁଜେ ଏନେଇ ସବିଶେଷ ଆଲୋଚନା କରାଯାଇଥିଲା । ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆଧୁନିକ AIର ବ୍ୟବହାର କରିବା ସହିତ ଅତ୍ୟାଧୁନିକ ଡ୍ରୋନ କ୍ୟାମେରାର ସହାୟତା ନିଆଯିବ ବୋଲି ଆଲୋଚନା କରାଯାଇଛି ।
ଶ୍ରୀମନ୍ଦିରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ଭିତରେ ଓ ବାହାରେ ଅନେକ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ଅଚଳ କ୍ୟାମେରା ଗୁଡ଼ିକ ହଟା ଯାଇ ନୂତନ କ୍ୟାମେରା ଲଗାଯିବ । ସେହିପରି ମେ ମାସ ଶେଷ ସୁଦ୍ଧା ସମସ୍ତ ବିଭାଗ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି । ଜିଲ୍ଲାରେ ଏତେ ସଂଖ୍ୟକ ଭିଡ଼ ନିୟନ୍ତ୍ରଣ କରିବା ସହିତ ସହରର ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଛି । ରାସ୍ତା ନିର୍ମାଣ ତଥା ମରାମତି, ପରିବହନ, ରେଳ, ପାନୀୟ ଜଳ ଯୋଗାଣ ଏନେଇ ଯଥା ଶୀଘ୍ର ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି ।
ଆସନ୍ତା ୧୯ ତାରିଖରେ ଅକ୍ଷୟ ତୃତୀୟା ନିମନ୍ତେ ନୀତି ନିର୍ଦ୍ଧାରଣ ପାଇଁ ଛତିଶା ନିଯୋଗର ବୈଠକରେ ନୀତି ଓ ତିଥି ନିର୍ଦ୍ଧାରିତ ହେବ ।