ପୃଥିବୀ ଠାରୁ ପ୍ରାୟ ୩ ଲକ୍ଷ ୭୫ ହଜାର କିଲୋମିଟର ଦୂରରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିବା ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ଏବଂ ରୋଭର ବର୍ତ୍ତମାନ ସ୍କ୍ରିପ୍ ମୋଡରେ ରହିଛନ୍ତି । ତେବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ କୃଷ୍ଣପକ୍ଷ ସରି ଆସୁଥିବାବେଳେ ପୁଣି ରୋଭର ପ୍ରଜ୍ଞାନ ଏବଂ ବିକ୍ରମ ଲ୍ୟାଣ୍ଡର ଜାଗ୍ରତ ହେବା ନେଇ ଆଶା କରାଯାଉଛି । ଦକ୍ଷିଣ ମେରୁରେ ୧୪ ଦିନ ରାତି ପରେ ସେପ୍ଟେମ୍ବର ୨୨ ତାରିଖ ଅର୍ଥାତ ଶୁକ୍ରବାର ଦିନ ରାତି ପାହିବ ଏବଂ ସୂର୍ଯ୍ୟୋଦୟ ପରେ ଆଲୋକ ଦକ୍ଷିଣ ପୋଲାର ଅଞ୍ଚଳରେ ପହଞ୍ଚିବ। ତେବେ ଶିବଶକ୍ତି ପଏଣ୍ଟରେ ରୋଭର ପ୍ରଜ୍ଞାନ ଏବଂ ବିକ୍ରମ ଲ୍ୟାଣ୍ଡର ସୂର୍ଯ୍ୟାଲୋକ ପଡିବା ପରେ ପୁଣି ସେମାନଙ୍କୁ ଜାଗ୍ରତ କରିବା ନେଇ ଇସ୍ରୋ ପକ୍ଷରୁ ଚେଷ୍ଟା ଜାରି ରହିଛି । ପ୍ୟାନେଲ ଉପରେ ସୂର୍ଯ୍ୟାଲୋକ ପଡିବା ପରେ ପୁଣି ଥରେ ଚନ୍ଦ୍ରପୃଷ୍ଠର ତଥ୍ୟ ସନ୍ଧାନ କରିବେ ବୋଲି ଆଶା କରାଯାଉଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ବୈଜ୍ଞାନିକମାନେ ଚନ୍ଦ୍ରଯାନ-3 ସହିତ ପୁନଃ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ବୁଧବାର ଦିନ ଇସ୍ରୋ ପକ୍ଷରୁ ମାଇକ୍ରୋ ବ୍ଲଗିଂ ସାଇଟ୍ X ରେ ଏକ ଅପଡେଟ୍ ଦିଆଯାଇଛି ।
ଇସ୍ରୋ ପକ୍ଷରୁ କୁହାଯାଇଛି, "ଶିବ ଶକ୍ତି ପଏଣ୍ଟରେ ସୂର୍ଯ୍ୟୋଦୟ ଆଶା କରାଯାଉଛି । ଖୁବଶୀଘ୍ର ବିକ୍ରମ ଏବଂ ପ୍ରଜ୍ଞାନ ଆବଶ୍ୟକ ପରିମାଣର ସୂର୍ଯ୍ୟ କିରଣ ପାଇବେ |୨୨ ସେପ୍ଟେମ୍ବରରେ ପୁଣି ସେମାନେ ଜାଗ୍ରତ ହେବେ ।ସେମାନଙ୍କ ସହ ପୁନଃ ଯୋଗାଯୋଗ କରିବା ପାଇଁ ଆମେ ପ୍ରସ୍ତୁତି ଜାରି ରଖୁଛୁ ।" ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ କହିଛନ୍ତି ଯେ, ଲ୍ୟାଣ୍ଡର ଏବଂ ରୋଭର ପାର୍କି ହୋଇଥବା ଶିବ ଶକ୍ତି ପଏଣ୍ଟରେ ସୂର୍ଯ୍ୟୋଦୟ ପରେ ଏହାର ପେଲୋଡ୍ ପୁନର୍ବାର କାର୍ଯ୍ୟକ୍ଷମ ହେବ । ଇସ୍ରୋର ଟିମ୍ ୨୧ ଏବଂ ୨୨ ସେପ୍ଟେମ୍ବରରେ ପୁନର୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିବ ।
କହିରଖୁଛୁ କି, ଲ୍ୟାଣ୍ଡର ଏବଂ ରୋଭରରେ ସ୍ଥାପିତ ସୋଲାର ପ୍ୟାନେଲ ଉପରେ ସୂର୍ଯ୍ୟ କିରଣ ପଡ଼ିବା ଦ୍ବାରା ବ୍ୟାଟେରୀଗୁଡ଼ିକ ଚାର୍ଜ ହୋଇଥାଏ । ତେବେ ଲଞ୍ଚ ପୂର୍ବରୁ ଏହାକୁ -୧୫୦ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ପରୀକ୍ଷଣ କରାଯାଇଥିଲା । କିନ୍ତୁ ଚନ୍ଦ୍ରପୃଷ୍ଠର ରାତିର ତାପମାତ୍ରା -୨୦୦ ଡିଗ୍ରୀ ସେଲସିୟସରୁ କମ ରହିଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନଥିବା କୁହାଯାଇଛି । ଚନ୍ଦ୍ରପୃଷ୍ଠରେ ଖଣିଜ ପଦାର୍ଥ ଏବଂ ଜଳର ସନ୍ଧାନରେ ରହିଥିବା ଭାରତର ମୁନ୍ ମିଶନ ଚନ୍ଦ୍ରୟାନ-3ର ଲ୍ୟାଣ୍ଡର ଏବଂ ରୋଭର ପୁନର୍ବାର କାର୍ଯ୍ୟ ଆରମ୍ଭ କରେ, ତେବେ ଏହା ସମଗ୍ର ବିଶ୍ବରେ ଭାରତର ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବ। ବିଶେଷକରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରିମୋଟ ସେଟିଂ, ରିମୋଟ ନେଭିଗେସନ୍, ରିମୋଟ ମାଇନିଂ, ଡିଜିଟାଲ କଣ୍ଟ୍ରୋଲ ଡ୍ରାଇଭିଂ ଏବଂ ହିଟ୍ ସିଲଡିଂର ଅଦୃଶ୍ୟ ଟେକ୍ନୋଲୋଜିର ଦ୍ବାର ଖୋଲିବ । ଚନ୍ଦ୍ରପୃଷ୍ଠର ଆହାରୁ ତଥ୍ୟ ସଂଗ୍ରହ କରିପାରିବେ ରୋଭର ପ୍ରଜ୍ଞାନ ଏବଂ ବିକ୍ରମ ଲ୍ୟାଣ୍ଡର ।
ଅଧିକ ପଢ଼ନ୍ତୁ : ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ପ୍ରଥମ ସୂର୍ଯ୍ୟଯାନ ଆଦିତ୍ୟଏଲ-୧ : ଇସ୍ରୋ