ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେବାକୁ ଯାଉଛନ୍ତି ଏକ ବଡ ଉପହାର। ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ରାୟଗଡ଼ା, ବାଲିଗୁଡ଼ା, ଦେବଗଡ଼, ଗଜପତି, ଗୁଣୁପୁର, ମୋହନା, ମାଲକାନଗିରି, ସୁନ୍ଦରଗଡର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଉନ୍ନତିକରଣ ତଥା ଗମନାଗମନ ନିମନ୍ତେ ତିଆରି ହେବ ରାସ୍ତା। ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟକ୍ରମ ନିମନ୍ତେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ଝାଡ଼ଖଣ୍ଡର ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତି ଆବାସ ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବେ। ସମସ୍ତ ରାଜ୍ୟର ୫୪୯ ଜିଲ୍ଲା ଓ ୨୭୪୦ ବ୍ଲକରେ ବସବାସ କରୁଥିବା ୬୩ ହଜାର ଗ୍ରାମର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟକାରୀ ହେବ ଏହି ଯୋଜନା। ଜନଜାତି ବର୍ଗଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସଶକ୍ତିକରଣ ତଥା ଉନ୍ନତ ଜୀବନ ଶୈଳୀ ଦିଗରେ ଉନ୍ନତି ଆଣିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ଯୋଜନା ଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ୨୫ଟି ମନ୍ତ୍ରଣାୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି।
ଆସନ୍ତା ଅକ୍ଟୋବର ୫ରେ ଚାଷୀ ମାନଙ୍କୁ ମିଳିବାକୁ ଯାଉଛି ପିଏମ୍ କିସାନର ଧନରାଶୀ। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ପିଏମ୍ କିସାନ ଯୋଜନାର ୧୮ ତମ କିସ୍ତିଚାଷୀଙ୍କ ଆକାଉଣ୍ଟକୁ ପଠାଇବେ । ୯ କୋଟି ୫୦ ଲକ୍ଷ ଚାଷୀଙ୍କୁ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଏହି ରାଶି ପଠାଯାଇଥିଲା। ଏଯାବତ ଚାଷୀଙ୍କ ଆକାଉଣ୍ଟକୁ ୧୭ଟି କିସ୍ତି ପଠାଯାଇଛି। ସରକାର ପ୍ରତି ଚାରି ମାସ ଅନ୍ତରାଳରେ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ୨ହଜାର ଟଙ୍କା ଯୋଗାଇଦିଅନ୍ତି। ଏହି ଯୋଜନା ଦ୍ୱାରା ବର୍ତମାନ ଦେଶର ବହୁ ଚାଷୀ ଉପକୃତ ହୋଇପାରିଛନ୍ତି।