ହାତରେ ଗରା, ବାଲଟି ଧରି ପାଇଁ ନିଇତି ଚାଲୁଛନ୍ତି ଗାଁର ମହିଳାମାନେ । ସତେ ଯେପରି ତାଙ୍କ ମଧ୍ୟରେ କୌଣସି ପ୍ରତିଯୋଗିତା ଚାଲିଛି ଯେ କିଏ ଆଗେ ପହଂଚିବ ? ଆଉ ସେ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଏ ମୁଣ୍ଡଫଟା ଖରାରେ ସେମାନେ କୁଆଡେ ଯାଉଛନ୍ତି, ଆଉ କାହିଁକି ଯାଉଛନ୍ତି? ହେଲେ ଟାଣ ଖରାରେ ଏମିତି ଚାଲିକି ଯିବାର ପ୍ରକୃତ ସତ ଜାଣିଲେ ଆପଣ ବି ପ୍ରଶାସନକୁ ଦୋଷ ଦେବେ । ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ହେଉଛନ୍ତି ଡହଳବିକଳ । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ ସାନ ପିଲା ବି ବୋତଲରେ ପାଣି ଭରିନେଉଛନ୍ତି । ଏ ଭୟଙ୍କର ଗରମରେ ପାଣି ନମିଳିଲେ ବଞ୍ଚିବା କଷ୍ଟ ହୋଇଯିବ । ସେଥିପାଇଁ ସାନ ଠୁଁ ବଡ଼ ସମସ୍ତେ ଲାଗିପଡ଼ିଛନ୍ତି ପାଣି ଯୋଗାଡରେ ।
ଆଶ୍ଚର୍ଯ୍ୟକର କଥା ହେଉଛି ଗାଁ ମୁଣ୍ଡରେ ଠିଆ ହୋଇଛି ସରକାରଙ୍କ ପାନୀୟ ଜଳ ପ୍ରକଳ୍ପର ଆକାଶଛୁଆଁ ପାଣି ଟାଙ୍କି । ହେଲେ ତାହା ଅଚଳ ଅବସ୍ଥାରେ ରହିଛି । ମୋଟ ୧୭ ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ୪ଟି ନଳକୂଅ ରହିଥିବାବେଳେ କେଉଁ ନଳକୂଅରୁ ଖରାପ ତ ଆଉ କେଉଁଠି ବିଲକୁଲ୍ ପାଣି ବାହାରୁନି । ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ରାଜ୍ୟ ସରକାର ଏଠାରେ ୨୦୧୬ରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କଲେ । ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରକଳ୍ପ ହୋଇଥିଲା, ହେଲେ ଠିକ ସମୟ ବେଳକୁ ପାଣିରେ ମିଶିଗଲା ପ୍ରକଳ୍ପ କାର୍ଯ୍ୟ । ଗାଁ ଲୋକେ ପାଣି ପାଇଁ ପ୍ରତିଦିନ କଷ୍ଟ ଭୋଗୁଛନ୍ତି । ନିର୍ବାଚନ ଆସିଲେ ନେତା ପ୍ରତିଶୃତି ଦେଉଛନ୍ତି ହେଲେ ସମସ୍ୟାର ସମାଧାନ ହେଉନି ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ଲୋକେ ନାଳ ପାଣି ପିଇବା ଖବର ଦୁଃଖଦାୟକ । ଖୁବ୍ ଶୀଘ୍ର ବିଶୁଦ୍ଧ ପାଣି ଦିଆଯିବ ବୋଲି କହିଛନ୍ତି ରେଢାଖୋଲ ଉପଜିଲ୍ଲାପାଳ ।