‘ଆଦିତ୍ୟ-ଏଲ୍୧’କୁ ନୂତନ କକ୍ଷପଥକୁ ନେବା ପାଇଁ କରାଯାଇଥିବା ‘ଆର୍ଥ-ବାଉଣ୍ଡ୍ ଫାଇରିଙ୍ଗ୍’ ସଫଳ ହୋଇଥିବା ‘ଇସ୍ରୋ’ ପକ୍ଷରୁ କୁହାଯାଇଛି। ‘ଇସ୍ରୋ’ ଆହୁରି ମଧ୍ୟ କହିଛି ଯେ, ଦେଶର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍୧’ ଠିକ ଅଛି ଏବଂ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ପରି ମନେହେଉଛି। ବେଙ୍ଗାଲୁରୁସ୍ଥିତ ‘ଆଇଏସ୍ଟିଆର୍ଏସି’ରେ କରାଯାଇଥିବା ପ୍ରଥମ ‘ଆର୍ଥ-ବାଉଣ୍ଡ୍ ମାନୁଭର୍’ ସଫଳ ହୋଇଛି। ମଙ୍ଗଳବାର ରାତିରେ ପରବର୍ତ୍ତୀ ମାନୋଭର କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ତ୍ତମାନ ପୃଥିବୀ ପୃଷ୍ଠରୁ ‘ଆଦିତ୍ୟ-ଏଲ୍୧'ର ସର୍ବନିମ୍ନ ଦୂରତା ୨୪୫କିଲୋମିଟର ହୋଇଥିବା ବେଳେ ସର୍ବାଧିକ ଦୂରତା ୨୨ ହଜାର ୪୫୯ କିଲୋମିଟର। ଶନିବାର ଦିନ ଶ୍ରୀହରିକୋଟାରୁ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍୧’ର ସଫଳ ଉତ୍କ୍ଷେପଣ କରାଯାଇଥିଲା। ‘ଇସ୍ରୋ’ କହିଛି ଯେ, ‘ଆଦିତ୍ୟ-ଏଲ୍୧’ ହେଉଛି ସୂର୍ଯ୍ୟ ଅଧ୍ୟୟନ ନିମନ୍ତେ ପ୍ରଥମ ମହାକାଶଭିତ୍ତିକ ‘ପ୍ଲାନେଟରିୟମ୍’ ବା ‘ଅବ୍ଜ୍ର୍ଭେଟରି’। ୧୨୫ ଦିନରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର୍ ଊର୍ଦ୍ଧ୍ବକୁ ଯାତ୍ରା କରି ଏହି ମହାକାଶଯାନ ସୂର୍ଯ୍ୟର ସବୁଠୁ ନିକଟତମ ବୋଲି ବିଚାର କରାଯାଉଥିବା ‘ଲଗ୍ରାଞ୍ଜ୍ ପଏଣ୍ଟ୍ ଏଲ୍୧’ ଚତୁଃପାର୍ଶ୍ବରେ ଗୋଟାଏ ଫାଙ୍କା କକ୍ଷପଥରେ ପରିକ୍ରମଣ କରିବ। ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସମାନ ହୋଇଥିବାରୁ ସେଠାରେ କ୍ଷୁଦ୍ର ଜିନିଷଟିଏ ରଖିଲେ ମଧ୍ୟ ତାହା କାହା ଆଡ଼କୁ ଆକର୍ଷିତ ନ ହୋଇ ରହିପାରେ।