କଟକ: ଗାଡ଼ି ଦୁର୍ଘଟଣାକୁ କେନ୍ଦ୍ର କରି ଯୁବକଙ୍କୁ ଚଳନ୍ତା ଗାଡ଼ି ସାମ୍ନାକୁ ଫିଙ୍ଗିଦେଲେ ଉତ୍ୟକ୍ତ ଲୋକେ । ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ଆଠଗଡ଼ ଥାନା ଅଞ୍ଚଳରେ । ମୃତକ ଜଣକ ହେଲେ ମାଧପୁରର କାହ୍ନା ରାଉତ । ଏ ନେଇ ମୃତକଙ୍କ ଭାଇ ଅଭିମନ୍ୟୁ ରାଉତ ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିମନ୍ୟୁଙ୍କ ଅଭିଯୋଗ ମୁତାବକ, ଗତକାଲି ରାତିରେ ତାଙ୍କ ଭାଇ କାହ୍ନା ରାଉତ ଆଠଗଡ଼ରୁ ଖୁଣ୍ଟୁଣି ଅଭିମୁଖେ ଆସୁଥିଲେ । ଏହି ସମୟରେ ତାଙ୍କ ବାଇକ ଓ ଅନ୍ୟ ଏକ ବାଇକ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଏଥିରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ କାହ୍ନାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ତାଙ୍କୁ ଛାଡ଼ି ଦେବାକୁ ବଡ଼ ଅଭିମନ୍ୟୁ ବହୁତ ନେହୁରା ହୋଇଥିଲେ । କିନ୍ତୁ କେହି ଶୁଣିବା ଅବସ୍ଥାରେ ନ ଥିଲେ । କିଛି ଲୋକ କାହ୍ନାଙ୍କୁ ଏକ ଚଳନ୍ତ ପିକ୍ଅପ୍ ଭ୍ୟାନ ଆଗକୁ ଠେଲି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାଧପୁର ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାରୁ କଟକ ଏସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
କାହ୍ନାଙ୍କୁ ନ୍ୟାୟ ଦେବାକୁ ଏବଂ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଧପୁର ବାସିନ୍ଦା ରାସ୍ତା ଅବରୋଧ କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ଅବରୋଧ କରିଛନ୍ତି । ଅନ୍ୟପକ୍ଷରେ ଏହି ମାମଲାରେ ରାଜନୈତିକ ଉଦ୍ଦେଶ୍ୟ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଉଭୟ ଗୋଟିଏ ରାଜନୈତିକ ଦଳର ବୋଲି ଜଣାପଡ଼ିଛି ।
ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଆଠଗଡ଼ ଏସଡିପିଓ ଉମାକାନ୍ତ ନାୟକ ଆନ୍ଦୋଳନ ସ୍ଥଳରେ ପହଁଚିଛନ୍ତି । ତଦନ୍ତ ଆରମ୍ଭ ହୋଇଛି । ଯେଉଁମାନେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଏସଡିପିଓ କହିଛନ୍ତି ।