ଯାଜପୁର: ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ । ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଜଣେ ସୂଚନା ଅଧିକାରୀ କର୍ମୀଙ୍କ ସ୍ତ୍ରୀ ଉପରେ ରାଗ ସୁଝାଉଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରହସୋଈ ପଞ୍ଚାୟତରେ । ପୀଡ଼ିତା ମହିଳା ଜଣକ ହେଲେ ଅଶୋକ ପତିଙ୍କ ସ୍ତ୍ରୀ ଲଳିତା ପତି ।
ଘଟଣାଟି ହେଉଛି ଲଳିତାଙ୍କ ସ୍ୱାମୀ ଜଣେ ସୂଚନା ଅଧିକାରୀ କର୍ମୀ । ପଞ୍ଚାୟତର ବିଭିନ୍ନ ଦୁର୍ନୀତିକୁ ବିରୋଧ କରିବା ସହ ଗତକାଲି ଆରଟିଆଇ ରିପୋର୍ଟ ମାଗିଥିଲେ ଅଶୋକ । ଏ ନେଇ କିଛି ଯୁବକ ଏବଂ ଅଶୋକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହା ପରେ ଆଜି ସକାଳୁ ପୁଣି କିଛି ଯୁବକ ଅଶୋକଙ୍କ ଘର ପାଖରେ ପହଁଚି ତାଙ୍କୁ ଘେରି ଯିବା ସହିତ ମାଡ଼ ମଧ୍ୟ ମାରିଥିଲେ ।
ଆରଟିଆଇ କର୍ମୀଙ୍କ ସ୍ତ୍ରୀ ଲଳିତା ସ୍ୱାମୀଙ୍କୁ ସେଠାରୁ ମୁକୁଳାଇ ଆଣିଥିଲେ । ଏହା ପରେ ସମ୍ପୃକ୍ତ ଯୁବକମାନେ ତାଙ୍କ ସହିତ ମଧ୍ୟ ଯୁକ୍ତି ତର୍କ କରିବା ସହିତ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି । ସମ୍ପୃକ୍ତ ଯୁବକ ଜଣତ ତାଙ୍କୁ ଘୋଷାଡ଼ି ଆଣିବା ସହିତ ଧକ୍କା ମାରି ତଳେ ପକାଇ ଦେଉଛନ୍ତି । ତାଙ୍କୁ ଜାତିଆଣ ଆକ୍ଷେପ ମଧ୍ୟ କରିଛନ୍ତି । ଏ ନେଇ ଦଶରଥପୁର ଥାନାରେ ଅଭିଯୋଗ କରିଛନ୍ତି ଅଶୋକ ପତି ଏବଂ ତାଙ୍କ ସ୍ତ୍ରୀ । ପୁଲିସ ଘଟଣା ସ୍ଥଳରେ ପହଁଚି ପଚରା ଉଚରା କରିବା ପରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।