କେନ୍ଦୁଝର: ଠିକ୍ ରେ ଚାଲି ଶିଖି ନ ଥିବା ଶିଶୁ ଉପରେ ସଇତାନର ଲୋଲୁପ ଦୃଷ୍ଟି । ମାତ୍ର ବର୍ଷେ ୩ ମାସର ଶିଶୁ କନ୍ୟା ସହିତ ହୋଇଛି ଦୁଷ୍କର୍ମ । ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳର ସାନବଡ଼ବିଲ ଗାଁରୁ । ଛୁଆକୁ ଖେଳାଇବା ବାହାନାରେ ତା ସହିତ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ପବିତ୍ର ବେହେରା ଓରଫ୍ କାଳିଆ । ଏ ନେଇ ଯୋଡ଼ା ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।
ଶିଶୁର ବାପାଙ୍କ ଅଭିଯୋଗ ମୁତାବକ, ପବିତ୍ର ବେହେରା ସମ୍ପର୍କରେ ଶିଶୁ କନ୍ୟାର ଜେଜେ ହିସାବ ହେବେ । ପ୍ରତିଦିନ ଭଳି ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରୁ ୭ଟା ସମୟରେ ପବିତ୍ର ବେହେରା ଶିଶୁ କନ୍ୟାକୁ ଖେଳେଇବାକୁ ନେଇଥିଲେ । ହେଲେ କିଏ ଜାଣି ଥିଲା ସବୁବେଳେ ଥଟ୍ଟା ମଜା କରୁଥିବା ଜେଜେଙ୍କ ଭିତରେ ଏମିତି ସଇତାନର ରୂପ ଅଛି । ଶିଶୁଟି ଘରକୁ ଆସିବା ପରେ ତାର ଗୁପ୍ତାଙ୍ଗରୁ ବ୍ଲଡ୍ ବାହାରୁ ଥିବା ଘର ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ଶିଶୁର ବାପାକୁ ପରିବାର ଲୋକେ ଫୋନ୍ କରି ଘଟଣା ସମ୍ପର୍କରେ କହିଥିଲେ ।
ଏହା ପରେ ପରିବାର ଲୋକେ ତୁରନ୍ତ ତାକୁ ଚମ୍ପୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଯୋଡ଼ା ଥାନା ପୁଲିସ ମେଡ଼ିକାଲରେ ପହଁଚି ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ପବିତ୍ର ବେହେରା ଘଟଣା ପରଠାରୁ କେଉଁ ଆଡ଼େ ଫେରାର ହୋଇଯାଇଛି । ତେବେ ପୁଲିସ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।