ଭୁବନେଶ୍ୱର: ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କ ଚାଞ୍ଚଲ୍ୟକର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଦୁଇଟି ଟ୍ରଙ୍କରେ ଏହି ଚାର୍ଜସିଟ୍ ରହିଛି। ପ୍ରାୟ ୩୦ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ। ଏତେ ବଡ଼ ଚାର୍ଜସିଟ୍ କୁ ନେଇ କୌତୁହଳ ପ୍ରକାଶ ପାଇଛି।
ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ଵ୍ରହ୍ମପୁର ଟାଉନ ଏସଡ଼ିପିଓ ସନ୍ଧ୍ୟାରେ ଜିଲା ଜଜ କୋର୍ଟ ପରିସରରେ ଥିବା ସିଏସଆଇ ଅଫିସରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛନ୍ତି। ସ୍ବତନ୍ତ୍ର ଟ୍ରଙ୍କରେ କାଗଜପତ୍ର ନେଇ କୋର୍ଟକୁ ଆସିଥିଲା ପୋଲିସ। ତେବେ ଏହି ବିଶାଳ ଦସ୍ତାବିଜ୍ରେ ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ବୈଷୟିକ ପ୍ରମାଣ, ସାକ୍ଷ୍ୟ ଏବଂ ଷଡ଼ଯନ୍ତ୍ରର ତଥ୍ୟ ରହିଥିବା ଅନୁମାନ କରାଯାଉଛି। ଚାର୍ଜସିଟ୍ ଦାଖଲ ପରେ ଏବେ ଏହି ହତ୍ୟା ମାମଲାର ବିଚାର ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।
ଗତବର୍ଷ ଅକ୍ଟୋବର ୬ ତାରିଖରେ ବ୍ରହ୍ମପୁର ସହରରେ ହୋଇଥିଲା ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା। ରାତି ପ୍ରାୟ ୧୦ଟା ବେଳେ ସେ ନିଜ ସ୍କୁଟରରେ ଘରକୁ ଫେରୁଥିବା ସମୟରେ ଦୁଇଜଣ ବାଇକ୍ ଆରୋହୀ ତାଙ୍କ ଉପରେ ଗୁଳି ଚଳାଇଥିଲେ। ସହରର ଛାତି ଉପରେ ଏହି ଖୁଲମ୍ଖୁଲା ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତାଙ୍କ ଛାତିରେ ଗୁଳି ବାଜିଥିଲା ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ହତ୍ୟା ମାମଲାରେ ପୋଲିସ ବିଜେଡି ନେତା ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଏବଂ ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରିଛି। ରାଜନୈତିକ, ବ୍ୟବସାୟିକ ଏବଂ ବୃତ୍ତିଗତ ଶତ୍ରୁତା ଯୋଗୁଁ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଅଧିକ ପଢନ୍ତୁ: ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ