ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚାଞ୍ଚଲ୍ୟକର ଖବର ଆସିଛି । ଜଣେ ନର୍ସଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ହସ୍ପିଟାଲର ବାଥରୁମ ଭିତରୁ ନର୍ସଙ୍କ ମୃତ ଦେହ ମିଳିଛି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡି.ଆମ୍ଭଠା ଗ୍ରାମର ଶିବଶଙ୍କର ରାଉତଙ୍କ ଝିଅ ଶୁଭସ୍ମିତା ରାଉତ ।
ନର୍ସଙ୍କ ମାଆଙ୍କ କହିବା ମୁତାବକ, ଶୁଭସ୍ମିତା ଭୁବନେଶ୍ୱର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ଶୁଭସ୍ମିତା ରାକ୍ଷୀରେ ଘରକୁ ଯିବାକୁ ଛୁଟି ମାଗିଥିଲେ । ଆଜି ସକାଳେ ସେ ଘରକୁ ଯାଇଥାଆନ୍ତେ । ଗତକାଲି ନାଇଟ୍ ଡ୍ୟୁଟି ସମୟରେ ସେ ରାତି ପ୍ରାୟ 10ଟା ସମୟରେ ଘର ଲୋକଙ୍କ ସହିତ ଫୋନରେ କଥା ମଧ୍ୟ ହୋଇଥିଲେ । କିନ୍ତୁ ରାତି ପ୍ରାୟ 3ଟା ବେଳକୁ ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କୁ ଫୋନ କରି କୁହାଯାଇଥିଲା ଯେ ଝିଅ ବାଥରୁମରେ ପଡ଼ିଯାଇଛି । ପରିବାର ଲୋକେ ତୁରନ୍ତ ଭୁବନେଶ୍ୱରରେ ପହଁଚିଥିଲେ ଏବଂ ଜାଣିବାକୁ ପାଇଥିଲେ ଶୁଭସ୍ମିତାଙ୍କର ମୃତ୍ୟୁ ହୋଇଛି । ନର୍ସଙ୍କର କିପରି ମୃତ୍ୟୁ ହୋଇଛି ସେ ନେଇ କିଛି ଜଣାପଡ଼ିନଥିବାବେଳେ ଚନ୍ଦ୍ରଶେଖରପୁର ଥାନା ପୋଲିସ ହସ୍ପିଟାଲରେ ପହଁଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।