ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ସକ୍ରିୟ ହୋଇପଡ଼ିଥିବା ବେଳେ ରବିବାର ଝାରସଗୁଡ଼ାରୁ ଫେରିଛି । ୫ ଦିନ ଧରି ତଦନ୍ତ ପରେ ଆଜି ଝାରସୁଗୁଡ଼ା ଛାଡ଼ିଛି କ୍ରାଇମବ୍ରାଞ୍ଚ ଟିମ୍। ତେବେ ୫ ଦିନର ମାରାଥନ ଜେରା ବେଳେ ପାଖାପାଖି ୧୫ ଜଣଙ୍କ ବୟାନ୍ ରେକର୍ଡ କରିଛି ତଦନ୍ତକାରୀ ଦଳ । ଏହି ୫ ଦିନ ଭିତରେ ନବଙ୍କ ପରିବାରକୁ ଦୁଇ ଥରରୁ ଅଧିକ ପଚରାଉଚରା କରିବା ସହ ନବଙ୍କୁ ଗୁଳି ମାଡ଼ ପରେ ଚିକିତ୍ସା କରିଥିବା ଡାକ୍ତର, ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ, ବିମାନର ପାଇଲଟ୍, ଗୁଳି ମାଡ଼ ସହ ସଂପୃକ୍ତ ଥିବା ପ୍ରାୟ ସମସ୍ତଙ୍କୁ ଜେରା ଓ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା।
ତଦନ୍ତ ବେଳେ ଅନେକ ତଥ୍ୟ ହାସଲ କରାଯାଇଥିବା ବେଳେ ସେସବୁ କୋର୍ଟରେ ଉପସ୍ଥାପନ କରାଯିବା ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀ । ଆବଶ୍ୟକ ହେଲେ ପୁଣିଥରେ ଟିମ୍ ତଦନ୍ତ ପାଇଁ ଝାରସଗୁଡ଼ାକୁ ଆସିପାରେ । ଝାରସୁଗୁଡ଼ାରେ ଜେରା ସରିବା ପରେ ଏବେ ଅଭିଯୁକ୍ତ ଗୋପାଳକୁ ଜେରା କରାଯାଇପାରେ । ପୂର୍ବ ସରକାର ସମୟରେ କ୍ରାଇମବ୍ରାଞ୍ଚର ପୂର୍ବ ତଦନ୍ତକାରୀ ଟିମ ଗୋପାଳକୁ ଜେରା କରିଥିଲା । ଏପରିକି ଗୁଜରାଟକୁ ନେଇ ପଲିଗ୍ରାଫ୍ ଟେଷ୍ଟ ବି କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ସେଥିରୁ କଣ ମିଳିଥିଲା, କଣ କହିଥିଲା ଗୋପାଳ ସେ କଥା ଜଣାପଡ଼ିନଥିଲା କି ସାମ୍ନାକୁ ଆସିନଥିଲା। କିନ୍ତୁ ଏବେ କ୍ରାଇମବ୍ରାଞ୍ଚର ନୂଆ ଟିମ୍ ତଦନ୍ତ ପରିସରକୁ ବଢ଼ାଇଛି। ସବୁ ଦିଗକୁ ନେଇ ତଦନ୍ତ କରିବା ସହ ଗୋପାଳଙ୍କୁ ପୁଣି ଜେରା କରିପାରେ ବୋଲି ଆଶଙ୍କା କରାଯାଉଛି ।
ଅଧିକ ପଢନ୍ତୁ: ନବ ଦାସ ହତ୍ୟା ମାମଲା: ପୁଣି ଥରେ କ୍ରାଇମ ସ୍ପଟକୁ ଯାଇପାରେ କ୍ରାଇମବ୍ରାଞ୍ଚ
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲାକୁ ୨ ବର୍ଷ ବିତିଛି । ଦିନ ୧୧ଟା ବିଚ୍ ରାସ୍ତାରେ ନବଦାସଙ୍କୁ ଗୁଳିମାଡ଼ ହୋଇଥିଲା । ତେବେ ଏହି ହତ୍ୟାକାଣ୍ଡ କାହିଁକି ହୋଇଥିଲା ଓ କେବେ ଏହି ହତ୍ୟା ଉପରୁ କେବେ ପରଦା ହଟିବ, ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।