ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୁମର ଖୋଲିବାର ଆଶା ଉଜ୍ଜୀବିତ ହେଉଛି । କ୍ରାଇମବ୍ରାଞ୍ଚ ପୁଣି ଥରେ ତାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ନବ ଦାସଙ୍କ ପରିବାରକୁ ଜେରା କରିବା ପରେ ଆଜି ଗୁଳି କାଣ୍ଡ ଘଟିଥିବା ଘଟଣାସ୍ଥଳକୁ ତଦନ୍ତକାରୀ ଦଳ ଯାଇପାରେ ବୋଲି ସୂଚନା ରହିଛି ।
କ୍ରାଇମବ୍ରାଞ୍ଚ ଟିମ୍ ମାମଲା ଅଧିକ ତଦନ୍ତ ପାଇଁ କ୍ରାଇମ ସ୍ପଟ୍ କୁ ଯାଇ ଯାଞ୍ଚ କରିପାରେ । ଏହା ସହିତ ଝାରସୁଗୁଡ଼ା ମେଡ଼ିକାଲ ଏବଂ ବିମାନବନ୍ଦର ଯାଇ ଖୋଳତାଡ଼ କରିପାରେ । ଏହି ସମୟରେ ବିଭିନ୍ନ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ । ଗତ ଦୁଇ ଦିନ ତଳେ କ୍ରାଇମବ୍ରାଞ୍ଚ ନବ ଦାସଙ୍କ ପୁଅ ବିଶାଳ ଦାସ, ଦୀପାଳି ଦାସ ଏବଂ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲା । ତେବେ ହତ୍ୟାକାଣ୍ଡକୁ ଦୁଇ ବର୍ଷ ବିତିଯାଇଥିବାବେଳେ ବର୍ତ୍ତମାନ ସମୟରେ ଘଟଣାସ୍ଥଳକୁ ଯାଇ ତଦନ୍ତ କଲେ କେଉଁ ତଥ୍ୟ ମିଳିପାରିବ ସେ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି ।
ଅନ୍ୟପକ୍ଷରେ ପୂର୍ବରୁ ହୋଇଥିବା ତଦନ୍ତ ରିପୋର୍ଟରେ ଅନେକ ତଥ୍ୟ ଦାଖଲ କରାଯାଇ ନାହିଁ । ନବ ଦାସଙ୍କ ଦେହରେ ବାଜିଥିବା ଗୁଳିର ଖୋକା ବିଷୟରେ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନାହିଁ । ସେହିପରି ସେଠାରେ କାରରେ ବାଜି ଥିବା ଗୁଳିର ମଧ୍ୟ ହିସାବ ମିଳୁ ନାହିଁ । ଗତକାଲି ମଧ୍ୟ ଇସିଜି ରିପୋର୍ଟ ଗାଏବ ହୋଇଯାଇଥିବା ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାଏକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।