ଢେଙ୍କାନାଳ: ସ୍ତ୍ରୀ ଆଗରେ ସ୍ୱାମୀକୁ ବିଭତ୍ସ ଭାବେ ହତ୍ୟା। ପ୍ରଥମେ ଗୁଳି ମାରିଲେ, ହେଲେ ନ ମରିବାରୁ ଗୋଡ଼େଇ ଗୋଡ଼େଇ ପଥରରେ ଛେଚି ହତ୍ୟା କଲେ। ଢେଙ୍କାନାଳ ଟାଉନ ଥାନା ଅନ୍ତଗର୍ତ କାରିଗର ସାହିରେ ଘଟିଛି ଏହି ବର୍ବର ହତ୍ୟାକାଣ୍ଡ। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ମୃତ ଯୁବକ ହେଉଛନ୍ତି ମହେଶ୍ୱର ବେହେରା ଓରଫ ଟିଟନ। ଗତକାଲି (ରବିବାର) ରାତି ପ୍ରାୟ ୧୧ଟା ବେଳେ ସେ ଘରକୁ ଫେରିବା ସମୟରେ ଦୁବୃର୍ତ ମାନେ ତାଙ୍କ ଉପରେ ଅଚାନକ ଗୁଳିମାଡ଼ କରିଥିଲେ। ତେବେ ଗୁଳି ଟିଟନଙ୍କ ଗୋଡ଼ରେ ବାଜିବାରୁ ସେ ଘଟଣାସ୍ଥଳରେ ଖସି ପଡ଼ିଥିଲେ। ଘଟଣାଟି ତାଙ୍କ ଘରଠାରୁ ଅଳ୍ପ ଦୂରରେ ଘଟିଥିବାରୁ ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଦୌଡ଼ି ଆସିଥିଲେ।
ଟିଟନ ଜୀବନ ବିକଳରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ସେଠାରୁ ଘୋଷାଡ଼ି ନେଇ ଅନ୍ୟ ଏକ ସ୍ଥାନରେ ପଥର ଛେଚି ହତ୍ୟା କରିଥିଲେ ଓ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ସମୟରେ ଟିଟନଙ୍କ ପତ୍ନୀ ଅଭିଯୁକ୍ତଙ୍କ ଆଗେ ସ୍ୱାମୀର ଜୀବନ ପାଇଁ ଯେତେ ନେହୁରା ହୋଇଥିଲେ ବି ତାଙ୍କ କଥା ଶୁଣିନଥିଲେ ଦୁବୁର୍ତ। ଶେଷରେ ହତ୍ୟା ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏପଟେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସେପଟେ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ପ୍ରାଥମିକ ତଦନ୍ତ ଅନୁଯାୟୀ ବ୍ୟବସାୟୀକ ଶତ୍ରୁତାକୁ ନେଇ ଦୁବୁର୍ତମାନେ ଏଭଳି କାଣ୍ଡ ଘଟାଇଥିବା ପୋଲିସ କହିଛି। ମୃତକଙ୍କ ପତ୍ନୀଙ୍କ କହିବା ମୁତାବିକ ବାଲିଘାଟ ଜମିକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା। ଏହି କାରଣରୁ ପ୍ରାୟ ମାସେ ତଳେ ଟିଟନଙ୍କୁ ଆକ୍ରମଣ କରି ଦୁବୃର୍ତ୍ତ ମାନେ ତାଙ୍କ ହାତ ଭାଙ୍ଗିଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି।