ପୁନେ: ମହାରାଷ୍ଟ୍ର ପୁନେରେ ଏକ କମ୍ପାନୀର ମିନି ବସରେ ନିଆଁ ଲାଗି ୪ ଜଣ କର୍ମଚାରୀ ପ୍ରାଣ ହରାଇବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଏହା ଏକ ଦୁର୍ଘଟଣା ନୁହେଁ ବରଂ ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ପୋଲିସ ଜାଣିବାକୁ ପାଇଛି । କମ୍ପାନୀରେ କାମ କରୁଥିବା ଡ୍ରାଇଭର୍ ଜନାର୍ଦ୍ଦନ ହମ୍ବାର୍ଦିକାର (୫୬) ଏଭଳି ଏକ ହୀନ ଷଡ଼ଯନ୍ତ୍ର ରଚିଥିବା ସ୍ପଷ୍ଟ ହୋଇଛି । ଦୀପାବଳିରେ ବୋନସ୍ ନ ମିଳିବାରୁ ସେ ଏଭଳି କରିଥିବା ଜଣାପଡ଼ିଛି ।
ଗୋଆର ଜନାର୍ଦ୍ଦନ ହମ୍ବାର୍ଦିକାର ଦୀର୍ଘ ୧୨ ବର୍ଷ ହେବ ଉକ୍ତ କମ୍ପାନୀରେ ଚାକିରି କରି ଆସୁଥିଲା । ବୋନସ୍ ଟଙ୍କାକୁ ନେଇ କମ୍ପାନୀରେ କିଛି କର୍ମଚାରୀଙ୍କ ଉପରେ ତାର ରାଗ ରହିଥିଲା । ଫଳରେ ଜାଣିଶୁଣି ଗାଡ଼ିରେ ନିଆଁ ଲଗାଇଥିବା ନେଇ ଜୋନ୍ ୨ ଡିସିପି ବିଶାଳ ଗାଏକୱାଡ଼ କହିଛନ୍ତି । ପ୍ରଥମେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିବା ପୋଲିସ ଅନୁମାନ କରିଥିଲା । ସେଥିପାଇଁ ଗୁରୁବାର ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ତଦନ୍ତ ପରେ କିଛିଟା ସନ୍ଦେହ ଉତ୍ପନ୍ନ ହୋଇଥିଲା । ଗାଡ଼ିରେ ବିଦ୍ୟୁତ ସର୍ଟସର୍କିଟରୁ ହଠାତ୍ ନିଆଁ ଦ୍ରୁତ ଗତିରେ କିପରି ବ୍ୟାପିଥିଲା ସେ ନେଇ ପୋଲିସ ଖୋଳତାଡ଼ କରିବା ସହିତ କିଛିଟା ପ୍ରମାଣ ପାଇଥିଲା ।
ଏ ସମସ୍ତ ଘଟଣାରେ ପଚରାଉଚରାବେଳେ ଗାଡ଼ିର ଚାଳକ ଉପରେ ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା । ଏହା ଏକ ଅଘଟଣ ନୁହେଁ ସୁପରିକଳ୍ପିତ ହତ୍ୟା ଷଡ଼ଯନ୍ତ୍ର ବୋଲି ପୋଲିସ୍ ଜାଣିବାକୁ ପାଇଥିଲା । ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ ଡ୍ରାଇଭର ଜନାର୍ଦ୍ଦନର କମ୍ପାନୀର କିଛି କର୍ମଚାରୀଙ୍କ ସହିତ ମତଭେଦ ଥିଲା । ଯେତେବେଳେ ଗାଡ଼ିରେ ନିଆଁ ଲାଗିଥିଲା ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ିଥିଲା । ଏହା ପରେ ସେ ମଧ୍ୟ ନିଜର ଚେତା ହରାଇ ବସିଥିଲା । ଚିକିତ୍ସା ପରେ ଚେତା ଆସିବା ପରେ ସେ ସମସ୍ତ ଦୋଷ ସ୍ୱୀକାର କରିଥିଲା ବୋଲି ଡିସିପି କହିଛନ୍ତି ।
ଗାଡ଼ିରେ ଯାଞ୍ଚବେଳେ ଦିଆସିଲି ମିଳିଥିବା ପୋଲିସ କହିଛି । ନିଜ ଘର ପାଖ ଏକ ଦୋକାନରୁ ସେ ଏହାକୁ କିଣିଥିବା ସ୍ୱୀକାର କରିଛି । ଆମେ ଜ୍ୱଳନଶୀଳ ବେଞ୍ଜିନର ବ୍ୟବହାର ପାଇଲୁ ଏବଂ ଡ୍ରାଇଭର ସିଟ୍ ତଳେ ଆମେ ଛିଣ୍ଡା କପଡ଼ା ମଧ୍ୟ ଜବତ କରାଯାଇଛି । ଗୋଟିଏ ଦିନ ପୂର୍ବରୁ ଗାଡ଼ି ସଫା କରିବାକୁ କହି ସେ କପଡ଼ା ଓ ବେଞ୍ଜିନ୍ କମ୍ପାନୀରୁ ଆଣିଥିଲା ।
ପୋଲିସ ଜନାର୍ଦ୍ଦନକୁ ନିଜ ହେପାଜତରେ ରଖି ଅଧିକ ପଚରାଉଚରା କରୁଛି । ତାର ମଧ୍ୟ ଏବେବି ଚିକିତ୍ସା ଚାଲିଛି । ସେ ସୁସ୍ଥ ହେବା ପରେ ତାକୁ ଗିରଫ କରାଯିବ । ଡ୍ରାଇଭର ବିରୋଧରେ ହତ୍ୟା ମାମଲା ବିଏନ୍ଏସ୍ ସେକ୍ସନ୍ ୧୦୩ ରୁଜୁ କରାଯାଇଛି ।
ପ୍ରକାଶ ଯୋଗ୍ୟ, ଗତ ବୁଧବାର ସକାଳେ ହିଞ୍ଜୱାଡ଼ି ଫେଜ୍ ଆଇଟି ପାର୍କ ନିକଟରେ ବ୍ୟୋମା ଗ୍ରାଫିକ୍ସର କମ୍ପାନୀର ଗାଡ଼ି କୋଥ୍ରୁଡ଼ ଏବଂ ୱାର୍ଜେରୁ କର୍ମଚାରୀଙ୍କୁ ନେଇ ଆସିଥିଲା । ପ୍ରାୟ ୭.୪୫ ସମୟରେ ୱାପ୍ରୋ ସର୍କଲ୍ ନିକଟରେ ଡ୍ରାଇଭର ସିଟ୍ ତଳେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଡ୍ରାଇଭର ସହିତ କିଛି କର୍ମଚାରୀ ଗାଡ଼ିରୁ ଡେଇଁ ବାହାରକୁ ପଳାଇ ଆସିଥିଲେ । କିନ୍ତୁ ଗାଡ଼ିରେ ଥିବା ୪ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।