ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବଣଗଢିଆ ଗ୍ରାମରେ ହୋଇଛି ସଶସ୍ତ୍ର ଡକାୟତି । ବିଳମ୍ବିତ ରାତିରେ ଲୁଟେରା ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ପ୍ରାୟ ୨୦ ଲକ୍ଷ ଟଙ୍କାର ଧନ ସମ୍ପତ୍ତି ଲୁଟି ନେଇଛନ୍ତି । ବଣଗଢ଼ିଆ ଗ୍ରାମର ଆନନ୍ଦ ବେହେରାଙ୍କ ଘରୁ ଲୁଟ୍ ହୋଇଥିବାବେଳେ ତାଙ୍କ ପୁଅ ରତିକାନ୍ତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି ।
ରବିବାର ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ଆନନ୍ଦ ବେହେରାଙ୍କ ଘରେ ପଶିଥିଲେ । ଝରକା ଭାଙ୍ଗି ସେହି ବାଟେ ଘର ଭିତରକୁ ପ୍ରବେଶ କରିଥିଲେ । ସମସ୍ତ ପରିବାର ସଦସ୍ୟଙ୍କୁ ବାନ୍ଧିବା ସହିତ ବିରୋଧ କରିବାରୁ ରତିକାନ୍ତ ବେହେରାଙ୍କୁ ଭୁଜାଲି ଓ ରଡରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ପରେ ଘରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ । ପ୍ରାୟ ୧୨ ଲକ୍ଷ ଟଙ୍କାର ଗହଣା ଏବଂ ୮ଲକ୍ଷ ୪୦ହଜାର ନଗଦ ଟଙ୍କା ଲୁଟି ନେଇଛନ୍ତି । ଗହଣାଗୁଡ଼ିକ ମଧ୍ୟରେ ରହିଛି ୨ଟି ମଙ୍ଗଳସୂତ୍ର, ଗୋଟିଏ ସୁନା ହାର, ୫ଟା ସୁନା ମୁଦି, ୨ଟି ଚେନ୍, ଲକେଟ୍, ଚୁଡ୍ ଆଦି ରହିଛି ।
ରତିକାନ୍ତ ବେହେରାଙ୍କୁ ପ୍ରଥମେ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥି । ଏ ନେଇ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।