ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଆଉରିଆ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତିନି ନିଷ୍ପାପ ସନ୍ତାନଙ୍କୁ ନଦୀରେ ବୁଡ଼ାଇ ହତ୍ୟା କରିବା ଘଟଣାରେ ମା’କୁ ଫାଶୀ ଦଣ୍ଡ ସହ ପ୍ରେମିକକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହା ସହିତ ଉଭୟଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଯାଇଛି। ଜରିମାନା ଅନାଦେୟ ହେଲେ, ଜଣଙ୍କୁ ଅଧିକ ଦୁଇ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ।
ଗତବର୍ଷ ଜୁନ୍ ୨୭ ତାରିଖରେ ଘଟିଥିବା ଏହି ଜଘନ୍ୟ ଅପରାଧରେ ୩ ନିଷ୍ପାପ ସନ୍ତାନଙ୍କ ମା’ ପ୍ରିୟଙ୍କାଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିବା ବେଳେ ତାଙ୍କ ପ୍ରେମିକ ଏବଂ ସମ୍ପର୍କୀୟ ଭାଇ ଆଶିଷ ଓରଫ ଡାନିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହି ଘଟଣାରେ ସରକାରୀ ଓକିଲ ମୋଟ ଛଅ ଜଣ ସାକ୍ଷୀଙ୍କୁ ଉପସ୍ଥାପନ କରିଥିଲେ। ଯେଉଁଥିରେ ଅଭିଯୁକ୍ତ ମା’ ପ୍ରିୟଙ୍କାଙ୍କ ହାତରୁ ଅଳ୍ପକେ ରକ୍ଷା ପାଇଥିବା ନଅ ବର୍ଷର ପୁଅ ସୋନୁକୁ ପ୍ରତ୍ୟକ୍ଷଦର୍ଶୀ କରାଯାଇଥିଲା ଏବଂ ତାଙ୍କ ସାକ୍ଷ୍ୟ ଦୋଷୀମାନଙ୍କୁ ନ୍ୟାୟ ଦେବାରେ ପ୍ରଭାବଶାଳୀ ହୋଇଥିଲା।
ଘଟଣା ମୁତାବିକ ଜିଲ୍ଲାର ଫାଫୁଣ୍ଡ ଥାନା ଅଞ୍ଚଳର ଆତା ବରୁଆ ଗ୍ରାମର ବାସିନ୍ଦା ୨୭ ବର୍ଷିୟା ପ୍ରିୟଙ୍କା ଇଟାୱାର ବାସରେହରର ବାସିନ୍ଦା ଅବନୀଶଙ୍କୁ ବିବାହ କରିଥିଲେ। ଯାହାଙ୍କ ସହିତ ତାଙ୍କର ଚାରୋଟି ସନ୍ତାନ ହୋଇଛି। ହେଲେ ଦୁଇ ବର୍ଷ ପୂର୍ବେ ସ୍ୱାମୀ ଅବନୀଶଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା। ଏହା ପରେ, ପ୍ରିୟଙ୍କା ତାଙ୍କ ସମ୍ପର୍କୀୟ ଭାଇ ଆଶିଷଙ୍କ ସହିତ ତାଙ୍କ ସ୍ତ୍ରୀ ଭାବରେ ରହିବା ଆରମ୍ଭ କଲେ। ଆଶିଷଙ୍କ ନିର୍ଦ୍ଦେଶରେ, ପ୍ରିୟଙ୍କା ସମସ୍ତ ଚାରିଜଣ ପିଲାଙ୍କୁ ନିଶା ଦେଇ କେଶମପୁରର ସେଙ୍ଗର ନଦୀ ଘାଟରେ ନଦୀରେ ବୁଡ଼ାଇ ଦେଇଥିଲେ। ସେଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ୯ ବର୍ଷର ପୁଅ ସୋନୁ। ଘଟଣାପରେ ପୋଲିସ ବର୍ତ୍ତିଯାଇଥିବା ସୋନୁକୁ ନଦୀରୁ ଉଦ୍ଧାର କରିଥିଲା, ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।
ଏହି ମାମଲାରେ ପୋଲିସ ଅତ୍ୟାକାକରୀ ମା’ ପ୍ରିୟଙ୍କା ଓ ପ୍ରେମିକ ଆଶିଷ ବିରୁଦ୍ଧରେ ଧାରା ୩୦୨, ୩୦୭ ଏବଂ ୧୨୦B ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା ଏବଂ ତଦନ୍ତ ପରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ସମ୍ବେଦନଶୀଳ ମାମଲାରେ କୋର୍ଟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୋଟିଏ ବର୍ଷ ୧୩ ଦିନ ପରେ ରାୟ ପ୍ରଦାନ କରିଛନ୍ତି।