ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ୨୦୧୮ ଫେବୃୟାରୀ ୨୩ ତାରିଖରେ ବୋମା ବିସ୍ଫୋରଣ ହୋଇଥିଲା। ଅନେକ ଦିନ ଯାଏଁ ଘଟଣାରେ କେହି ଗିରଫ ହୋଇ ନଥିଲେ। ସେତେବେଳର କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲା ତଦନ୍ତ ଭାର।
୨୦୧୮ ଏପ୍ରିଲ ୨୪ ତାରିଖରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଧରିଥିଲା କ୍ରାଇମବ୍ରାଞ୍ଚ। ବିନା କୌଣସି ସୁରାକରେ ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ। କିନ୍ତୁ ଖୁବ୍ କମ ସମୟ ଭିତରେ ପୁଞ୍ଜିଲାଲଙ୍କ ପାଖରେ ପହଞ୍ଚି ପାରିଥିଲା। ଏବେ ପୁଞ୍ଜିଲାଲାଙ୍କୁ ପାଟଣାଗଡ଼ ଏଜିଜେ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ତତକାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ସେ କହିଛନ୍ତି, ଏହି ମାମଲା ଆମ ପାଇଁ ବହୁତ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା । କାରଣ ଏହି ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀନଥିଲେ । ପୁଞ୍ଜିଲାଲ ମାମଲାରେ ଫୋରେନସିକ୍ ପ୍ରମାଣ ତଥ୍ୟ ଦେଇଥିଲା । କାରଣ ଯେଉଁଥିରେ ପ୍ରତ୍ୟକ୍ଷ ସାକ୍ଷୀ ନଥାନ୍ତି, ସେଥିରେ ଫୋରେନସିକ୍ ପ୍ରମାଣ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ଅରୁଣ ବୋଥ୍ରା କହିଛନ୍ତି, ତଦନ୍ତ ବେଳେ ପୁଞ୍ଜିଲାଲ ଲେଖିଥିବା ଚିଠି ଆମର ସବୁ ରାସ୍ତା ଖୋଲି ଦେଇଥିଲା । ତାର ଭାଷା ଓ ଲେଖିବା ଶୈଳୀ ଉଚ୍ଚକୋଟୀର ହୋଇଥିବାରୁ ସନ୍ଦେହ ହୋଇଥିଲା । ପରେ ଏହା ଜଣେ ଶିକ୍ଷିତ ଲୋକର କାମ ବୋଲି ସନ୍ଦେହ କରି ତଦନ୍ତ ଆଗକୁ ବଢିଥିଲା । ସେହିପରି, ବିସ୍ଫୋରକ ବାହାର କରି ଫିଙ୍ଗିଥିବା ଖୋଳ ବି ସୁରାକ୍ ଦେଇଥିଲା । ସେ ଯେଉଁ ଡଷ୍ଟବିନରେ ଖୋଳ ଫିଙ୍ଗିଥିଲା, ତାହା ଲ୍ୟାବରେ ମ୍ୟାଚ୍ ହୋଇଥିଲା ।ଏହାପରେ ତାକୁ ବୋମା ତିଆରି ପାଇଁ ଡେମୋ ଦେଖାଇବାକୁ ମନାଇଥିଲୁ । ଏହାପରେ ସମସ୍ତ ସତ୍ୟ ସାମ୍ନାକୁ ଆସିଯାଇଥିଲା । ସେ ଯାହା ବି ହେଉ କୋର୍ଟ ରାୟ ଆମ ପୁରା ଟିମକୁ ଖୁସି କରିଛି ବୋଲି ଅରୁଣ ବୋଥ୍ରା କହିଛନ୍ତି ।