ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ପଡିଲା ମହଙ୍ଗା । ଗିରଫ ହେଲେ ବିଜେପି ପ୍ରତିନିଧି ପ୍ରବେଶ ଶୁକ୍ଳା । ମଙ୍ଗଳବାର ବିଳମ୍ବିତ ରାତ୍ରରେ ଗିରଫ କରାଯାଇଥିବା କଥା ପୁଲିସ କହିଛି । ଗିରଫଦାରି ବେଳକୁ ଅଭିଯୁକ୍ତ ପ୍ରବେଶ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲି ଯାଉଥିଲେ । ଶେଷରେ ରାତି ୨ଟା ବେଳେ ସେ ଧରା ପଡ଼ିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ । ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ପ୍ରବେଶ ଶୁକ୍ଳାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ପ୍ରବେଶ ଶୁକ୍ଳା ହାତରେ ସିଗାରେଟ ଧରି ମାଫିଆ ଭଳି ନିଶାରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରୁଛନ୍ତି । ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିବା ଏହା ସଭ୍ୟ ସମାଜ ଓ ଏକ ଗଣତନ୍ତ୍ର ରାଷ୍ଟ୍ରର ସରକାରଙ୍କ ଚରିତ୍ରକୁ କଳଙ୍କିତ କରିଛି । ଏହି ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଭିଯୁକ୍ତଙ୍କ ଉପରେ ଦେଶଦ୍ରୋହ ବା ଏନଏସଏ ଧାରାରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି ।