ଯାଜପୁର: କଂଗ୍ରେସ ନେତ୍ରୀଙ୍କ ଘରେ କାମ କରୁଥିବା ନାବାଳିକା ୭ ମାସର ଗର୍ଭବତୀ । ଅସହାୟ ଅନାଥ ନାବାଳିକା ଝିଅ ପାଇଁ କେହି ନାହାଁନ୍ତି । ମେଡିକାଲରେ ବେଡରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ଗର୍ଭବତୀ ନାବାଳିକା । ନ୍ୟାୟ ଦେବା ବଦଳରେ ପ୍ରଶାସନିକ ନୀରବତା ସାମ୍ନାକୁ ଆସିଛି । ଘଟଣା ଜଣାପଡ଼ିବାର ୧୦ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କେବଳ ଚିଠି ଲେଖି ବସିଯାଇଥିବା ଅଭିଯୋଗ ହୋଇଛି ।
ଯାଜପୁର ରୋଡ୍ ଥାନା ଅଞ୍ଚଳର ଜଣେ କଂଗ୍ରେସ ନେତ୍ରୀଙ୍କ ଘରେ ରହି ଜଣେ ନାବାଳିକା କାମ କରୁଥିଲେ । କିନ୍ତୁ ନାବାଳିକା ଗର୍ଭବତୀ ଥିବା ଜାଣିବା ପରେ ତାକୁ ବିଭିନ୍ନ ଘରୋଇ ଚିକିତ୍ସାଳୟକୁ ନେଇ ଗର୍ଭନଷ୍ଟ କରିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ନେତ୍ରୀ । ମାତ୍ର ଏଥିରେ ବିଫଳ ହେବା ପରେ ନାବାଳିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଘଟଣାକୁ ୧୦ ଦିନ ବିତି ଯାଇଥିବାବେଳେ ଶିଶୁ ମଙ୍ଗଳ କମିଟିର କେବଳ ଚିଠି ଲେଖି ନୀରବ ବସିଛି । ଏପରି ଏକ ସମ୍ବେଦନଶୀଳ ଘଟଣାରେ ଶିଶୁ ମଙ୍ଗଳ କମିଟିର ଅଭିଯୋଗ କରିବାର କ୍ଷମତା ଥିବା ସତ୍ୱେ କମିଟି କେବଳ ସିଡିଏମଓ, ଯାଜପୁର ଶିଶୁ ମଙ୍ଗଳ କମିଟି ଏବଂ ପୁଲିସକୁ ଚିଠି ଲେଖି ନୀରବ ବସିଛି ।
ତେବେ ଏ ନେଇ ସମ୍ପୃକ୍ତ କଂଗ୍ରେସ ନେତ୍ରୀ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଖାଲି ଏତିକି କହିଛନ୍ତି ଯେ ସେ ନାବାଳିକାଟିକୁ ମାତ୍ର ମାସେ ହେବ ଆଣିଥିଲେ । ପରେ ନାବାଳିକା ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ ।
ଅନ୍ୟ ପଟେ ନାବାଳିକା ଜଣକ ସଂପୃକ୍ତ ନେତ୍ରୀଙ୍କ ଘରେ ବର୍ଷେ ହେବ ରହୁଥିବା ବୟାନ ଦେଇଛି । ଅନାଥ ନାବାଳିକା ଗର୍ଭବତୀ ହେବା ପରେ ସେ କିପରି ନ୍ୟାୟ ପାଇବ ସେ ନେଇ କୌଣସି ବିଭାଗୀୟ ତତ୍ପରତା ସାମ୍ନାକୁ ଆସନି । ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରେକ୍ସୋନା ଜେନା କହିଛନ୍ତି । ସେମାନଙ୍କ ନୀରବତା ଯୋଗୁଁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେଉଛି ବୋଲି କହିଛନ୍ତି ଅଧ୍ୟକ୍ଷା ।