ଯାଜପୁର: ଶିବ ମନ୍ଦିର ଭିତରୁ ଉଦ୍ଧାର ହୋଇଛି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ । ଯାଜପୁର ଟାଉନ ଥାନା ମୋଟରଙ୍ଗାପାଳ ଗ୍ରାମର ଇଶାଣେଶ୍ୱର ଶିବ ମନ୍ଦିର ଭିତରୁ ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ମନୋଜ ଜେନା (୪୫)। ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି ।
ମୋଟରଙ୍ଗାପାଳ ଗ୍ରାମର ମନୋଜ ଜେନା ଗତକାଲି ବେପାର କରିବାକୁ ଘରୁ ବାହାରି ଯାଇଥିଲେ । ଗତକାଲି ଭଲ ବ୍ୟବସାୟ ମଧ୍ୟ ହୋଇଥିଲା । କିନ୍ତୁ ମଧ୍ୟାହ୍ନ ସମୟରେ ସେ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକ ତାଙ୍କୁ ଫୋନ୍ କରିବାରୁ ବିଳମ୍ବ ହୋଇଗଲାଣି ଯାଇ ହେବ ନାହିଁ ବୋଲି କହିଥିଲେ । ଏହା ପରେ ରାତି ହୋଇଯାଇଥିଲା କିନ୍ତୁ ସେ ଆଉ ଘରକୁ ଫେରି ନ ଥିଲେ । ଏ ନେଇ ପରିବାର ଲୋକ ବହୁତ ଖୋଜା ଖୋଜି କରି ପାଇ ନ ଥିଲେ । ତେବେ ଆଜି ସକାଳେ ଗାଁ ନିକଟସ୍ଥ ବିଲ ମଝିରେ ଥିବା ଇଶାଣେଶ୍ୱର ଶିବ ମନ୍ଦିରରେ ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକ ଦେଖିଥିଲେ । ଖବର ପାଇ ମନୋଜଙ୍କ ପରିବାର ଲୋକ ମଧ୍ୟ ଘଟଣା ସ୍ଥଳରେ ପହଁଚି ଥିଲେ । ତେବେ ଉକ୍ତ ମୃତ ଦେହଟି ମନୋଜଙ୍କ ହୋଇଥିବା ପରିବାର ଲୋକ ଚିହ୍ନଟ କରିଥିଲେ । ମନୋଜଙ୍କ ଘରେ ସ୍ତ୍ରୀ, ଦୁଇଟି ସନ୍ତାନ ଏବଂ ବୁଢୀ ମାଆ ଅଛନ୍ତି । ତାଙ୍କର କାହା ସହିତ ଶତ୍ରୁତା ନ ଥିଲାବେଳେ ସେମିତି କିଛି ଚିନ୍ତାଗ୍ରସ୍ତ ଥିବା ଜଣାପଡ଼ୁ ନ ଥିଲା ବୋଲି ମନୋଜଙ୍କ ପୁଅ ଶୁଭ ଜେନା କହିଛନ୍ତି ।
ତେବେ ଏ ନେଇ ଯାଜପୁର ଟାଉନ ଥାନାକୁ ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ଏହା ହତ୍ୟା ନାଁ ଆତ୍ମହତ୍ୟା ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।