ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୋଠିଆସାହି ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କିଛି ଯୁବକ ତାଙ୍କ ହାତ ଗୋଡ଼ ଭାଙ୍ଗି ବୂଦା ମୂଳେ ଫିଙ୍ଗି ଚାଲି ଯାଇଛନ୍ତି । ଗୁରୁତର ଯୁବକ ଜଣକ ହେଲେ ବଳରାମପୁର ଗ୍ରାମର ଚନ୍ଦନ । ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଏହା ପରେ କୁଜଙ୍ଗ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ବଳରାମପୁରର ଚନ୍ଦନ ନାମକ ଯୁବକ ଗତକାଲି ରାତିରେ ତାଳଦଣ୍ଡାରୁ ଫେରୁଥିବାବେଳେ ୧୦ ରୁ ୧୫ ଯୁବକ ତାଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ । ଭୀଷଣ ମାଡ଼ ମାରି ଚନ୍ଦନଙ୍କ ହାତଗୋଡ଼ ଭାଙ୍ଗି ଦେଇଥିବାବେଳେ ତାଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଛି । ମୁର୍ମୁଷ ଅବସ୍ଥାରେ ବୂଦା ମୂଳେ ପଡ଼ିଥିବା ବେଳେ ସେହିପଟେ ଯାଉଥିବା ଜଣେ ବାଇକ ଆରୋହୀ ତାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ । ତାଙ୍କୁ ଦେଖିବା ପରେ ନିଜ ଗ୍ରାମର ପିଲା ବୋଲି ଜାଣିବା ପରେ ଅନ୍ୟ ଜଣଙ୍କ ସହାୟତାରେ ତାଙ୍କୁ ପ୍ରଥମେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବିଙ୍କୁ ସ୍ଥାନାନ୍ତର କରାଯାଇଛି ।
ଏହି ଘଟଣା ପରେ ବଳରାମପୁର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆକ୍ରମଣ କରିଥିବା ଯୁବକମାନେ ଜଗନ୍ନାଥପୁର ଅଞ୍ଚଳର ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଥାନା ସମ୍ମୁଖରେ ହୋହାଲ୍ଲା କରିଥିଲେ । ତେବେ ପୁଲିସ ମାମଲାର ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଏକ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି ।