ଖବର ଓଡିଶା : 11/03/2023
ଆସିଲା ଭିସୁଟ୍ର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଡାଏଟମ୍ ଟେଷ୍ଟ ରିପୋର୍ଟ | ପୂର୍ବରୁ ହସ୍ତଗତ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟର ତଥ୍ୟ ସହ ସମାନ ରହିଛି ଡାଏଟମ୍ ଟେଷ୍ଟ ରିପୋର୍ଟ | ଭିସୁଟ୍ର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଡାଏଟମ୍ ଟେଷ୍ଟ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ଏବେ ଚିନ୍ମୟୀଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେପଟେ ସମ୍ବଲପୁର ଏସ୍ପି କହିଛନ୍ତି, ଯେତିକି ଟେକ୍ନିକାଲ୍ ଏଭିଡେନ୍ସ ଆସିଛି, ସେଥିରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ବୁଡ଼ିବା ଯୋଗୁ ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି। ସେହିପରି ପାରିପାର୍ଶ୍ୱିକ ପ୍ରମାଣକୁ ଅନୁଧ୍ୟାନ କଲେ ଏହି ଘଟଣା ପଛର ଉଦ୍ଦେଶ୍ୟ କିଛି ଜଣାପଡ଼ୁନାହିଁ। ତେଣୁ ଏହା ହତ୍ୟାକାଣ୍ଡ ନୁହେଁ। ସୂଚନା ଅନୁସାରେ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟର) ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଚିନ୍ମୟୀଙ୍କର ଅକାଳ ମୃତ୍ୟୁ ହୋଇଥିଲା। ବହୁ ଖୋଜାଖୋଜି ପରେ ପାୱାର ଚ୍ୟାନେଲ ବ୍ରିଜରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଚିନ୍ମୟୀଙ୍କ ସହ ଉକ୍ତ ସମୟରେ ତାଙ୍କ ବନ୍ଧୁ ପ୍ରିତୀମାନ ଥିବାରୁ ଝିଅ ମୃତ୍ୟୁ ପଛରେ ତାଙ୍କ ହାତ ଥିବା ସନ୍ଦେହ କରିଥିଲେ ତାଙ୍କ ବାପାମା’ ।